ସୁନ୍ଦରଗ୍ରାମ ଉଚ୍ଚ ବିଦ୍ୟାଳୟ, କଟକ : ୭୦ବର୍ଷର ବିଦ୍ୟାଳୟକୁ ନୂଆ ରୂପ ଦେଇଛି ମୋ ସ୍କୁଲ୍‌

କଟକ ଜିଲ୍ଲା ସଦର ମହକୁମାଠାରୁ ୨୧ କିଲୋମିଟର ଦୂରରେ ରହିଛି ସୁନ୍ଦରଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟ । ଦେଶ ସ୍ୱାଧୀନ ହେବାର ମାତ୍ର ୩ବର୍ଷ ପରେ ୧୯୫୦ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଶିକ୍ଷାନୁଷ୍ଠାନ କଣ୍ଟାପଡା ବ୍ଲକ୍‌ର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ । ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳର କିଛି ଜଣାଶୁଣା ଲୋକଙ୍କ ଉଦ୍ୟମରେ ପ୍ରଥମେ ଏହା ଏକ ବେସରକାରୀ ବିଦ୍ୟାଳୟ ଭାବରେ ଆରମ୍ଭ ହୋଇଥିଲା । କ୍ରମଶଃ ସରକାରୀ ଶିକ୍ଷାନୁଷ୍ଠାନ ଭାବରେ ରାଜ୍ୟ ସରକାରଙ୍କ ସ୍ୱୀକୃତି ମିଳିଲା । ପ୍ରଥମେ ୬ଷ୍ଠରୁ ଦଶମ ଏବଂ ୨୦୧୮ରେ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ସହ ମିଶିବା ପରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢାଗଲା । ଦୀର୍ଘ ୭୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ହଜାର ହଜାର ପିଲାଙ୍କୁ ଶିକ୍ଷାର ଆଲୋକ ଦେଖାଇଥିବା ଏହି ଶିକ୍ଷାନୁଷ୍ଠାନ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଗଢିତୋଳିଛି । ସେମାନଙ୍କ ମଧ୍ୟରେ ରାଜ୍ୟ ଓ ରାଜ୍ୟ ବାହାରେ କାମ କରୁଥିବା ବହୁ ଉଚ୍ଚପଦସ୍ଥ ଅଧିକାରୀ, ରାଜନେତା, ଡାକ୍ତର, ଇଞ୍ଜିନିୟର ଅଛନ୍ତି ।

ପୁରାତନ ଛାତ୍ରସଂଘର ଅବଦାନ

ସୁନ୍ଦରଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟ ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ମୋ ସ୍କୁଲ୍ ଅଭିଯାନରେ ଅନ୍ତର୍ଭୁକ୍ତ ହୋଇଥିଲା । ତତ୍କାଳୀନ ପ୍ରଧାନଶିକ୍ଷକ ଦୁଃଶାସନ ଜେନା ଏବଂ ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ନେତୃତ୍ୱରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଏକାଠି କରାଯାଇଥିଲା । ସେମାନଙ୍କୁ ବିଦ୍ୟାଳୟର ବିକାଶ ପ୍ରକ୍ରିୟାରେ ଭାଗ ନେବାକୁ ଉତ୍ସାହିତ କରାଯାଇଥିଲା । ଅଧିକାଂଶ ଅଭିଭାବକ ଏହି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ହୋଇଥିବାରୁ ‘ମୋ ସ୍କୁଲ୍ ଅଭିଯାନ’କୁ ଏକ ଆନ୍ଦୋଳନରେ ପରିଣତ କରାଯାଇପାରିଥିଲା ।

ଏହି ଅଭିଯାନ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଦ୍ୟାଳୟକୁ ୧୧ଲକ୍ଷ ୮୧ହଜାର ୩୪୨ଟଙ୍କାର ଆର୍ଥିକ ସହାୟତା ମିଳିଥିଲା । ଏଥିସହ ସରକାରଙ୍କ ଅନୁଦାନକୁ ମିଶାଇଲେ ବିଦ୍ୟାଳୟକୁ ସର୍ବମୋଟ ୩୫ଲକ୍ଷ ୪୪ହଜାର ୨୬ଟଙ୍କାର ଆର୍ଥିକ ସହାୟତା ମିଳିଥିଲା । ସଂଗୃହୀତ ଅର୍ଥରେ ବାତ୍ୟା ଫନୀରେ ଭାଙ୍ଗିଥିବା ଶ୍ରେଣୀଗୃହର ମରାମତି କରାଯାଇଥିଲା । ବାତ୍ୟାରେ ସ୍କୁଲ୍‌ର ପ୍ରାୟ ୧୧ ବଖରା ଆଜ୍‌ବେଷ୍ଟସ୍ ଏବଂ ଟାଇଲ୍ ଘର ଭାଙ୍ଗିଯାଇଥିବାରୁ ନୂତନ ଶ୍ରେଣୀଗୃହ ତିଆରି କରାଯାଇଥିଲା । ଏହାସହ ପାଚିରି ମରାମତି, ନୂତନ ଶୌଚାଳୟ ନିର୍ମାଣ, କବାଟ ଓ ଝରକା ଲଗାଯିବା ସହ ଶ୍ରେଣୀଗୃହଗୁଡିକୁ ରଙ୍ଗ ଦିଆଯାଇଥିଲା । ଏହାସହ ‘ମୋ ସ୍କୁଲ୍‌’ ସହଯୋଗରେ ବିଦ୍ୟାଳୟରେ ଉତ୍ତମ ପାନୀୟ ଜଳ ଏବଂ ପରିମଳ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ କ୍ଷେତ୍ରରେ ଦକ୍ଷ କରିବାକୁ ଆଗାମୀଦିନରେ ସ୍କୁଲ୍ ପରିସରରେ ସ୍ମାର୍ଟ କ୍ଲାସ୍‌ରୁମ୍ ନିର୍ମାଣ କରିବାର କାର୍ଯ୍ୟକ୍ରମ ରହିଛି ।

ସ୍କୁଲ୍‌ର ପ୍ରଧାନଶିକ୍ଷକ ଶ୍ରୀ ଅଶୋକ କୁମାର ମହାପାତ୍ର କୁହନ୍ତି, ସୁନ୍ଦରଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟର ୮୦ ପ୍ରତିଶତ ପିଲା ଗରିବ ଆଦିବାସୀ ଶ୍ରେଣୀରୁ ଆସିଥାନ୍ତି । ଏହି ପିଲାମାନଙ୍କୁ ଉତ୍ତମ ଶିକ୍ଷାଦାନ କରିବାରେ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍ ଅଭିଯାନ’ ପ୍ରମୁଖ ଭୂମିକା ନେଇଛି । ପିଲାଙ୍କ ପରୀକ୍ଷାଫଳରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦୀର୍ଘ ୧୨ବର୍ଷ ହେଲାଣି ଏହି ସ୍କୁଲ୍‌ରେ କାର୍ଯ୍ୟକରୁଛି । ପ୍ରଧାନଶିକ୍ଷକ ଭାବରେ ଦାୟିତ୍ୱ ନେବା ପରଠାରୁ ମୋର ଗୋଟିଏ ସ୍ୱପ୍ନ ଥିଲା । ମୋ ସ୍କୁଲ୍‌ର ପିଲାମାନେ ଯେପରି ସବୁ ସୁବିଧା ସୁଯୋଗ ପାଇ ଭଲ ପାଠ ପଢିବେ, ‘ମୋ ସ୍କୁଲ୍ ଅଭିଯାନ’ ଓ ଏ ସ୍କୁଲ୍‌ର ପୁରାତନ ଛାତ୍ରଛାତ୍ରୀମାନେ ତାହାକୁ ଆଜି ସତ କରି ଦେଖାଇଛନ୍ତି ।