ସରକାରୀ ପ୍ରାଥମିକ ବିଦ୍ୟାଳୟ, ରେଙ୍ଗାଲ୍‌ପତ୍ରା ସ୍ୱପ୍ନକୁ ବାସ୍ତବ ରୂପ ଦେଇଛି ‘ମୋ ସ୍କୁଲ୍‌’

ସେମାନେ ନିଜେ ପାଠ ପଢିବାର ସୁଯୋଗରୁ ବଞ୍ଚିତ ହୋଇଛନ୍ତି । ହେଲେ ଏବେ ନିଜ ପିଲାମାନଙ୍କୁ କିଭଳି ଉଚ୍ଚଶିକ୍ଷିତ କରିବେ ସେଇ ଚେଷ୍ଟା କରିଚାଲିଛନ୍ତି । ସେମାନଙ୍କ ଭଳି ସେମାନଙ୍କ ପିଲାମାନେ ଯେପରି ଶିକ୍ଷା ଭଳି ମୌଳିକ ଅଧିକାର ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ନିଜର ସର୍ବସ୍ୱ ପ୍ରଦାନ କରିବାକୁ ପଛାଇନାହାନ୍ତି । ଏଠାରେ ଆମେ କହୁଛୁ ସେଭଳି କିଛି ଲୋକଙ୍କ କଥା, ଯାହାଙ୍କ ଉଦ୍ୟମରେ ଆଜି ଏକ ଆଭ୍ୟନ୍ତରୀଣ ପଛୁଆ ଅଞ୍ଚଳରେ ଶିକ୍ଷାର ଆଲୋକ ଜଳିପାରିଛି । ପିଲାମାନେ କେବଳ ପାଠ ପଢିବାର ସୁଯୋଗ ପାଇନାହାନ୍ତି, କମ୍ପ୍ୟୁଟର ଓ ଇଣ୍ଟରନେଟ୍ ବ୍ୟବସ୍ଥା ଭଳି ଅତ୍ୟାଧୁନିକ ସୁବିଧା ସୁଯୋଗ ବି ସେମାନଙ୍କ ହାତପାଆନ୍ତାରେ ପହଞ୍ଚିପାରିଛି ।

ବରଗଡ ଜିଲ୍ଲା ବିଜେପୁର ବ୍ଲକ୍ ଅନ୍ତର୍ଗତ ରେଙ୍ଗାଲପତ୍ରା ଗ୍ରାମରେ ରହିଛି ରେଙ୍ଗାଲପତ୍ରା ସରକାରୀ ପ୍ରାଥମିକ ବିଦ୍ୟାଳୟ । ଗ୍ରାମର ୯୯ ପ୍ରତିଶତ ବାସିନ୍ଦା ଲୋକ ଗରୀବ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଶ୍ରେଣୀର ଏବଂ ପ୍ରାୟତଃ ସମସ୍ତେ ଚାଷକାର୍ଯ୍ୟ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । ତେବେ କିଛିବର୍ଷ ପୂର୍ବରୁ ଏଠାରେ ସ୍କୁଲ୍‌ଟିଏ ନ ଥଲା । ତେଣୁ ଏହି ଗାଁର ପିଲାମାନେ ବହୁତ ଦୂର ଚାଲି ଅନ୍ୟ ଏକ ଗ୍ରାମର ବିଦ୍ୟାଳୟକୁ ପଢିବାକୁ ଯାଉଥିଲେ । ଗାଁ ଗାଁ ଭିତରେ ଚାଲିଥିବା ମତପାର୍ଥକ୍ୟ ଯୋଗୁଁ ଅନେକ ସମୟରେ ପିଲାମାନଙ୍କୁ ଅଧାରୁ ପାଠ ଛାଡ଼ିବାକୁ ପଡୁଥିଲା । ଏହା ହୃଦୟଙ୍ଗମ କରି ଦଇତାରୀ ବରିହା ନାମକ ଜଣେ ଗ୍ରାମବାସୀ ଗାଁରେ ବିଦ୍ୟାଳୟଟିଏ ପ୍ରତିଷ୍ଠା କରିବାକୁ ନିଜର ୪୦ ଡିସିମିଲ ଚାଷଜମି ଦାନ କରିଥିଲେ । ୧୯୮୬ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ୨୦୧୯ରେ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍ ଅଭିଯାନ’ରେ ଅନ୍ତର୍ଭୁକ୍ତ ହୋଇଥିଲା । ଗାଁ ସ୍କୁଲ୍ ପାଇଁ ଦିନେ ଅନେକ କିଛି କରିବାର ସ୍ୱପ୍ନ ଦେଖିଥିବା ଗ୍ରାମବାସୀମାନଙ୍କ ସେହି ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ସାହାଯ୍ୟ କରିଥିଲା ‘ମୋ ସ୍କୁଲ୍ ଅଭିଯାନ’ । ଗ୍ରାମବାସୀ ଏବଂ ପୁରାତନ ଛାତ୍ରଛାତ୍ରୀ ମିଶି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଗେଇ ଆସିଥିଲେ । ଚାଷକାର୍ଯ୍ୟ ପାଇଁ ମିଳିଥିବା ବୀମା ଅର୍ଥକୁ ସେମାନେ ‘ମୋ ସ୍କୁଲ୍‌’ ମାଧ୍ୟମରେ ପ୍ରଦାନ କରି ଦୁଇଗୁଣା ଆର୍ଥିକ ସହାୟତାରେ ସ୍କୁଲ୍‌ରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଥିଲେ । ଗ୍ରାମବାସୀ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ମିଳିଥିବା ୪,୦୨୦,୧୦ ଟଙ୍କା ଏବଂ ଦୁଇଗୁଣା ଆର୍ଥିକ ଅନୁଦାନକୁ ମିଶାଇ ମୋଟ ୧୨,୦୬,୦୩୦ ଟଙ୍କା ବିନିଯୋଗରେ ପର୍ଯ୍ୟାୟକ୍ରମେ ବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟ କରାଯାଇଛି । ଶ୍ରେଣୀଗୃହର ନବୀକରଣ ସହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଟେବୁଲ୍‌, ବେଞ୍ଚ୍ କିଣାଯାଇଛି । ପିଲାମାନଙ୍କ ପାଇଁ ଥଣ୍ଡା ପାନୀୟଜଳ ଏବଂ ଶୌଚାଳୟର ବ୍ୟବସ୍ଥା କରାଯାଇଥିବା ସହିତ ସ୍କୁଲ୍ ବଗିଚାର ସୌନ୍ଦର୍ଯ୍ୟକରଣ କରାଯାଇଛି । କେବଳ ଶ୍ରେଣୀଗୃହ ଭିତରେ ନୁହେଁ, ଶ୍ରେଣୀଗୃହ ବାହାରେ ବି ଛାତ୍ରଛାତ୍ରୀମାନେ କିଭଳି ଶିକ୍ଷାଗ୍ରହଣ କରିପାରିବେ ସେଥିପାଇଁ କ୍ୟାମ୍ପସ ପରିସରରେ ‘ବାଲା’ ପେଣ୍ଟିଂ ଅଙ୍କାଯାଇଛି । ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଡିଜିଟାଲା ଦକ୍ଷତା ବୃଦ୍ଧି ପାଇଁ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ ବ୍ୟବସ୍ଥା କରାଯାଇଛି । ଏହାପରେ ବି ସ୍କୁଲ୍‌ର ଭିତ୍ତିଭୂମି ବିକାଶ ପାଇଁ ଗ୍ରାମବାସୀଙ୍କ ପ୍ରୟାସ ଜାରିରହିଛି । ଆଗାମୀଦିନରେ ବାକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପାଦନ କରାଯିବ ବୋଲି କହିଛନ୍ତି ପୁରାତନ ଛାତ୍ର ସଂଘର ସଭାପତି ଶ୍ରୀ ପଞ୍ଚାନନ ବରିହା । ଗ୍ରାମବାସୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସ୍କୁଲ୍‌ର ଉନ୍ନତିମୂଳକ କାର୍ଯ୍ୟ ଚାଲୁ ରହିଥିବାରୁ ସେମାନଙ୍କ ନିକଟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ କୃତଜ୍ଞତା ଜ୍ଞାପନ କରିଛନ୍ତି । ‘ମୋ ସ୍କୁଲ୍ ଅଭିଯାନ’ ଦ୍ୱାରା ରେଙ୍ଗାଲପତ୍ରା ସରକାରୀ ପ୍ରାଥମିକ ବିଦ୍ୟାଳୟର ନବକଳେବର ହୋଇପାରିଥିବା ପ୍ରଧାନଶିକ୍ଷକ କହିଛନ୍ତି ।

previous arrow
next arrow
Slider