"ମୋ' ସ୍କୁଲ ଅଭିଯାନ"ର ସ୍ବପ୍ନ

 

ଆଜିର ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ପିଢ଼ିର ସଫଳ ନାଗରିକ,
ସ୍ୱପ୍ନଦ୍ରଷ୍ଟା, ଉଦ୍ୟମୀ,କଳାକାର,ଲେଖକ,ଚିନ୍ତକ, ଶିଳ୍ପୀ, ବୈଜ୍ଞାନିକ, ଉଦ୍ଭାବକ, ଆବିଷ୍କାରକ, ଜନନେତା ତଥା
 ଶିଳ୍ପଦ୍ୟୋଗୀ ଭାବରେ ଗଢିବା ପାଇଁ ଏକ ଅନୁକୂଳ, ସହଯୋଗୀ ଓ ସୃଜନଶୀଳ ପରିବେଶର ଆବଶ୍ୟକତା ରହିଛି।
ଏଥି ପାଇଁ ବିଭିନ୍ନ ସ୍କୁଲର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସହଯ଼ୋଗମୂଳକ ମଞ୍ଚ ଗଠନ କରିବା ହେଉଛି ମୋ ସ୍କୁଲ କାର୍ଯ୍ୟକ୍ରମର ସ୍ବପ୍ନ।

"ମୋ' ସ୍କୁଲ"ର ଉଦ୍ଦେଶ୍ୟ

ଦେଶ ଓ ବିଦେଶରେ ରହି ମଧ୍ୟ ଓଡ଼ିଶାର ସରକାରୀ ବିଦ୍ୟାଳୟ ସହ ଭାବଗତ ସମ୍ପର୍କ ରଖୁଥିବା ବ୍ୟକ୍ତିବିଶେଷଙ୍କ ନିକଟରେ ପହଞ୍ଚିବା ଏବଂ ସେହି ଭାବନାତ୍ମକ ସଂପର୍କକୁ ନେଇ ଗଠନମୂଳକ କାର୍ଯ୍ୟ କରିବା ହେଉଛି ମୋ ସ୍କୁଲ କାର୍ଯ୍ୟକ୍ରମର ପ୍ରଧାନ ଉଦ୍ଦେଶ୍ୟ। ଏହା ସହିତ ସାମୁହିକ ଉଦ୍ୟମକୁ ଅନୁପ୍ରାଣିତ କରିବା, ପାରିପାର୍ଶ୍ବିକ ସମାଜର ସହଭାଗିତାକୁ ପ୍ରୋତ୍ସାହିତ କରିବା ଏବଂ ଶିକ୍ଷା ଓ ଶିଶୁ ବିକାଶ କ୍ଷେତ୍ରରେ ସକ୍ରିୟ ଥିବା ବିଭିନ୍ନ ବେସରକାରୀ ସଂଗଠନମାନଙ୍କ ସହ ନିମ୍ନଲିଖିତ ପରିସରରେ ସହଯୋଗୀତା କରିବା ଉଲ୍ଲେଖନୀୟ ଉଦ୍ଦେଶ୍ୟ:

  • ବିଭିନ୍ନ କ୍ଷମତା, ଜାତି, ଲିଙ୍ଗ, ସଂପ୍ରଦାୟ, ଭାଷାଭାଷୀ ଓ ବର୍ଗର ପିଲାମାନଙ୍କ ଆବଶ୍ୟକତା ପୂରଣ କରିବା
  • ପିଲାମାନଙ୍କୁ ସଫଳଭାବରେ ଗଢି ତୋଳିବା ପାଇଁ ଶୈଶବରୁ ହିଁ ସେମାନଙ୍କୁ ଉପଯୁକ୍ତ ସୃଜନାତ୍ମକ, ବୈଷୟିକ, ମାନସିକ ଓ ମାନସିକ-ସାମାଜିକ ସହାୟତାଦେବା ଆବଶ୍ୟକ। ପିଲାମାନଙ୍କୁ ଏସବୁ ଯୋଗାଇବା ପାଇଁ ସ୍କୁଲଗୁଡିକୁ ସକ୍ଷମ କରିବା
  • ପିଲାମାନଙ୍କୁ ସନ୍ତୁଷ୍ଟ, ସୁସ୍ଥ ଓ ପରିପୂର୍ଣ୍ଣ ନାଗରିକ ଭାବରେ ଗଢି ତୋଳିବା

"ମୋ' ସ୍କୁଲ ଅଭିଯାନ"ର ଆରମ୍ଭ

ଭାରତ ଓ ବିଦେଶରେ ରହୁଥିବା ଅନେକ ଓଡ଼ିଆ ଜୀବନର ସଫଳତା ପାଇଁ ନିଜ ବିଦ୍ୟାଳୟର ଅବଦାନକୁ ଭୁଲି ପାରିନାହାନ୍ତି।ସେଇ ବିଦ୍ୟାଳୟମାନଙ୍କର ବିକାଶ ପାଇଁ ସହଯୋଗ କରିବାକୁ ସେମାନେ ଓଡ଼ିଶା ସରକାରଙ୍କ ନିକଟରେ ଆଗ୍ରହ ପ୍ରକାଶ କରିଛନ୍ତି । ପୁରାତନ ଛାତ୍ରଛାତ୍ରୀମାନଙ୍କ ଏପରି ଗଠନମୂଳକ ଆଗ୍ରହକୁ ସମ୍ମାନ ଜଣାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଭେମ୍ବର ୧୪, ୨୦୧୭, ଶିଶୁ ଦିବସ ଅବସରରେ ମୋ ସ୍କୁଲ ଅଭିଯାନର ଶୁଭାରମ୍ଭ କରିଥିଲେ।

ଓଡ଼ିଶାରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ବିକାଶ ନିମନ୍ତେ ବିଭିନ୍ନ ଲୋକଙ୍କୁ ଏକାଠି କରିବା, ସେମାନଙ୍କ ମଧ୍ୟରେ ସହଯୋଗ ସୃଷ୍ଟି କରିବା ଏବଂ ସମୟ ଓ ଅର୍ଥଦାନ ଉଦ୍ଦେଶ୍ୟରେ ମଞ୍ଚଟିଏ ଯୋଗାଇବା ପାଇଁ ଆରମ୍ଭ ହୋଇଛି ମୋ ସ୍କୁଲ ଅଭିଯାନ। ଆମ ରାଜ୍ୟ ଓ ରାଜ୍ୟବାସୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଏକ ଉନ୍ନତ ଓ ପ୍ରଗତିଶୀଳ ସ୍କୁଲ ବ୍ୟବସ୍ଥା ଜରୁରୀ। ଓଡିଶାକୁ ବିକାଶ ପଥରେ ଆଗେଇ ନେଇ ଦେଶର ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେଲେ ପ୍ରଥମେ ସ୍କୁଲ ପିଲାଙ୍କ ସୁନ୍ଦର ଭବିଷ୍ୟତ ପାଇଁ ପଦକ୍ଷେପ ନେବାକୁ ହେବ।

“ମୋ’ ସ୍କୁଲ” ସମଗ୍ର ଦେଶରେ ଏ ଧରଣର ଏକମାତ୍ର କାର୍ଯ୍ୟକ୍ରମ। ଏହା ଏକ ନାଗରିକ-ସରକାର ଭାଗୀଦାରିତା କାର୍ଯ୍ୟକ୍ରମ ଯାହା ମାଧ୍ୟମରେ ନାଗରିକମାନେ ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିବେ, ତାହାର ଲକ୍ଷ୍ୟ ଧାର୍ଯ୍ୟ କରିବେ ଏବଂ ସେଗୁଡିକୁ କାର୍ଯ୍ୟକାରୀ କରିବା ଦିଗରେ ନେତୃତ୍ୱ ନେବେ ।

ଏହି କାର୍ଯ୍ୟକ୍ରମ ପାଇଁ ସରକାର ପରିଚାଳନାଗତ ଓ ଆର୍ଥିକ ସହାୟତା ଯୋଗାଇବେ। ମୋ ସ୍କୁଲ କାର୍ଯ୍ୟନିର୍ବାହୀ ପରିଷଦ, ପରିଚାଳନା ପରିଷଦ ଓ ଉପଦେଷ୍ଟା ପରିଷଦର ସହଯୋଗରେ ନିତିଦିନିଆ କାର୍ଯ୍ୟଗୁଡ଼ିକର ତଦାରଖ କରିବ। ପରିଚାଳନା ପରିଷଦ ଓ ଉପଦେଷ୍ଟା ପରିଷଦରେ ବିଶିଷ୍ଟ ଶିକ୍ଷାବିତ୍, ଚିନ୍ତାଶୀଳ ବ୍ୟକ୍ତି, ସାମାଜିକ ବିଜ୍ଞାନୀ ରହିବେ। ଆହୁରି ମଧ୍ୟ ରହିବେ କଳା, ସ୍ଥାପତ୍ୟ, ଡିଜାଇନ, ବିଜ୍ଞାପନ, ଯୋଗାଯୋଗ, ଚଳଚ୍ଚିତ୍ର ନିର୍ମାଣ, ସାହିତ୍ୟ, ବିଜ୍ଞାନ, ପ୍ରଯୁକ୍ତି, କ୍ରୀଡା ଓ ପ୍ରଶାସନିକ କ୍ଷେତ୍ରରେ ସଫଳତା ହାସଲ କରିଥିବା ବିଭିନ୍ନ ବ୍ୟକ୍ତି।

"ମୋ' ସ୍କୁଲ"ର ଲକ୍ଷ୍ୟ

“ମୋ’ ସ୍କୁଲ ଅଭିଯାନ”ର ସାମଗ୍ରିକ ଲକ୍ଷ୍ୟ ହେଉଛି :

  • ସ୍କୁଲଗୁଡ଼ିକର ବିକାଶ ଲାଗି ସ୍ୱେଚ୍ଛାକୃତ ଅବଦାନ ଓ ସହଯୋଗକୁ ପ୍ରୋତ୍ସାହିତ କରିବା
  • ଓଡ଼ିଶା ସ୍କୁଲ ବ୍ୟବସ୍ଥାର ବିକାଶ କ୍ଷେତ୍ରରେ ସହଯୋଗ କରିବାକୁ ବ୍ୟକ୍ତିବିଶେଷ (କେବଳ ପୁରାତନ ଛାତ୍ରଛାତ୍ରୀ ନୁହଁନ୍ତି), ସଂଘ, ସାମାଜିକ ପ୍ରଭାବ ସଂଗଠନ, ପ୍ରତିଷ୍ଠାନ, ଦାତବ୍ୟ ଅନୁଷ୍ଠାନ, କମ୍ପାନି ଓ ଅନ୍ୟମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା
  • ରାଜ୍ୟର ସ୍କୁଲ ବ୍ୟବସ୍ଥାକୁ ଉନ୍ନତ କରିବାକୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ଅଭିଜ୍ଞତା, ସଫଳତା, ପ୍ରଭାବ ଓ ବିଶ୍ୱବ୍ୟାପୀ ଯୋଗାଯୋଗର ଉପଯୋଗ କରିବା
  • ଓଡ଼ିଶାର ବିଶାଳ ମାନବ ସମ୍ବଳ ଓ ବୌଦ୍ଧିକ ସଂପଦର ଉପଯୋଗ କରିବା ପାଇଁ ଏକ ଅନୁକୂଳ ଓ ସକ୍ଷମ ପରିବେଶ ସୃଷ୍ଟି କରିବା
  • ଏକ ବହୁମୁଖୀ ବ୍ୟକ୍ତିତ୍ୱର ବିକାଶ କରିବାକୁ ଆବଶ୍ୟକ ଭୌତିକ ଓ ମାନସିକ ଭିତ୍ତିଭୂମି ପିଲାମାନଙ୍କୁ ପ୍ରଦାନ କରିବା ଯେପରିକି ସେମାନେ ନିଜର ରୁଚି ଅନୁସାରେ ବୃତ୍ତି କିମ୍ବା ଧନ୍ଦା ବାଛିବାକୁ ସକ୍ଷମ ହୋଇପାରିବେ
  • ସ୍କୁଲ ପିଲାମାନଙ୍କୁ ସ୍ୱପ୍ନ ଦେଖିବା ପାଇଁ, ଉଦ୍ୟମୀ ହେବା ପାଇଁ ତଥା କଳାକାର, ଲେଖକ, ଚିନ୍ତକ, ଶିଳ୍ପୀ, ବୈଜ୍ଞାନିକ, ଉଦ୍ଭାବକ, ଆବିଷ୍କାରକ କିମ୍ବା ଶିଳ୍ପଦ୍ୟୋଗୀ ହେବା ପାଇଁ ପ୍ରସ୍ତୁତ କରିବା

ଓଡ଼ିଶାର ସ୍କୁଲ ବ୍ୟବସ୍ଥା

ଓଡ଼ିଶାରେ ୧ମ ଶ୍ରେଣୀରୁ ୧୦ମ ଶ୍ରେଣୀ ମଧ୍ୟରେ ମୋଟ ପ୍ରାୟ ୭୨,୨୧,୨୧୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏମାନଙ୍କ ମଧ୍ୟରୁ ୩୭,୧୬,୮୮୩ ଜଣ ଛାତ୍ର ଓ ୩୫,୦୪,୩୩୫ ଜଣ ଛାତ୍ରୀ।

ଓଡ଼ିଶାରେ ପ୍ରାୟ ୫୩,୬୮,୧୩୫ ଜଣ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ,୫,୭୫,୩୧୩ ଜଣ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଓ ୧୨,୭୭,୭୭୦ ଜଣ ଛାତ୍ରଛାତ୍ରୀ ଘରୋଇ ସ୍କୁଲରେ ପାଠ ପଢନ୍ତି। ତାଲିକାଭୁକ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩,୮୭,୫୭୬ ଜଣ ଅନୁସୂଚିତ ଜାତିର, ୨୦,୫୮,୯୫୫ ଜଣ ଅନୁସୂଚିତ ଉପଜାତିର ଓ ୩୭,୭୪,୬୮୭ ଜଣ ଛାତ୍ରଛାତ୍ରୀ ଅଣ-ଅନୁସୂଚିତ ଜାତି କିମ୍ବା ଉପଜାତିର ଅଟନ୍ତି ।

ଓଡ଼ିଶାରେ ୨,୮୪,୪୬୪ ଜଣ ଶିକ୍ଷକ ୧ମ ଶ୍ରେଣୀରୁ ୧୦ମ ଶ୍ରେଣୀ ମଧ୍ୟରେ ଶିକ୍ଷକତା କରନ୍ତି। ଏମାନଙ୍କ ମଧ୍ୟରୁ ୨,୦୭,୧୦୨ ଜଣ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପାଠପଢାନ୍ତି।

ଓଡ଼ିଶାରେ ମୋଟ ୬୭,୯୬୧ ଟି ସ୍କୁଲ (୧ମରୁ ୧୦ମ) ରହିଛି। ସେଗୁଡ଼ିକ ମଧ୍ୟରୁ ୬୧,୧୬୩ ଟି ସରକାରୀ/ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ। ଅବଶିଷ୍ଟ ୬୭୯୮ଟି ସ୍କୁଲ ମଧ୍ୟରେ ରହିଛି ଘରୋଇ, କେନ୍ଦ୍ର ସରକାରୀ ଓ କେତେକ ଅଣ-ସ୍ୱୀକୃତିପ୍ରାପ୍ତ ସ୍କୁଲ ।

odisha-an-overview
odisha-number-of-schools

ଶ୍ରେଣୀ ଅନୁସାରେ ସ୍କୁଲ ସଂଖ୍ୟା :
(ଶ୍ରେଣୀ-୧ରୁ ୫) ପ୍ରାଥମିକ ସ୍କୁଲ : ୩୬୦୭୦
ଶ୍ରେଣୀ-୧ରୁ ୮) ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ : ୧୮୭୧୨
(ଶ୍ରେଣୀ-୬ରୁ ୮) କେବଳ ଉଚ୍ଚ ପ୍ରାଥମିକ ସ୍କୁଲ : ୩୩୦୭
(ଶ୍ରେଣୀ-୯ରୁ ୧୦) ମାଧ୍ୟମିକ ସ୍କୁଲ : ୯୮୭୨

ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ୧୬୩୦ଟି ସ୍କୁଲ ବ୍ୟତୀତ ଅନ୍ୟ ସମସ୍ତ ସ୍କୁଲ ଓଡ଼ିଶାର ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ରହିଛି। ଶିକ୍ଷାଦାନ ଦୃଷ୍ଟିରୁ ବିଚାର କଲେ ପ୍ରାଥମିକ ସ୍କୁଲଗୁଡ଼ିକ ଶିକ୍ଷକ ତାଲିମ ନିର୍ଦ୍ଦେଶାଳୟ (ଟିଇ) ଓ ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏସସିଇଆରଟି) ଅଧୀନରେ ରହିଛି। ମାଧ୍ୟମିକ ସ୍କୁଲମାନ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ଅଧୀନରେ ରହିଛି।

ନିକଟରେ ୧୨୪୭ଟି ଉଚ୍ଚ-ମାଧ୍ୟମିକ ସ୍କୁଲ/କନିଷ୍ଠ ମହାବିଦ୍ୟାଳୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନକୁ ଅଣାଯାଇଛି। ଏଗୁଡ଼ିକ ମଧ୍ୟରେ ୭୫୭ଟି ସରକାରୀ/ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ରହିଛି। ଉଚ୍ଚ-ମାଧ୍ୟମିକ ସ୍କୁଲ ଅନ୍ତର୍ଭୁକ୍ତ ହେବା ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବେ ୧ମରୁ ୧୦ମ ମଧ୍ୟରେ ମୋଟ ୬୯,୨୦୮ଟି ସ୍କୁଲର ପରିଚାଳନା କରୁଛି।

୨୦୧୨ରେ ଓଡ଼ିଶା ସରକାର ପ୍ରାଥମିକ ସ୍କୁଲ ଗୁଡ଼ିକର ତଦାରଖ ଦାୟିତ୍ୱ ପଞ୍ଚାୟତିରାଜ ସଂସ୍ଥାମାନଙ୍କୁ ପ୍ରଦାନ କରିଥିଲେ। ତେବେ ଏଗୁଡ଼ିକର ପ୍ରଶାସନିକ ନିୟନ୍ତ୍ରଣ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିକଟରେ ରହିଛି। ୨୦୧୮ରେ ସରକାର ବିଭିନ୍ନ ପ୍ରକାରର ସ୍କୁଲର ନିର୍ମାଣ, ମରାମତି ଓ ରକ୍ଷଣାବେକ୍ଷଣ କାମ ନିମ୍ନଲିଖିତ ବିଭାଗଗୁଡ଼ିକୁ ପ୍ରଦାନ କରିଥିଲେ।

  • ପ୍ରାଥମିକ ସ୍କୁଲ : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ
  • ଗ୍ରାମୀଣ ଉଚ୍ଚ-ବିଦ୍ୟାଳୟ : ଜନସ୍ୱାସ୍ଥ୍ୟ ବିଭାଗ (ପିଡବ୍ଲ୍ୟୁଡି) (ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ଥ)
  • ସହରାଞ୍ଚଳ ସ୍କୁଲ : ପୌର ନିଗମ ଓ ଅନ୍ୟ ପୌରସଂସ୍ଥା ( ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ)

ସ୍କୁଲଗୁଡ଼ିକର ନିର୍ମାଣ, ମରାମତି ଓ ରକ୍ଷଣାବେକ୍ଷଣ କାମ ପାଇଁ ଏସବୁ ବିଭାଗଗୁଡ଼ିକୁ ସ୍ୱତନ୍ତ୍ର ବଜେଟ ଅନୁଦାନ ପ୍ରଦାନ କରାଯାଇଛି।

"ମୋ' ସ୍କୁଲ" ପାଇଁ ପାଣ୍ଠି ସଂଗ୍ରହ ଏବଂ ଶତକଡା ଦୁଇ ଶତ ଭାଗ ସରକାରୀ ସାହାଯ୍ୟ

“ମୋ’ ସ୍କୁଲ” କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ପାଣ୍ଠି ମୁଖ୍ୟତଃ ଦୁଇଟି ଉତ୍ସରୁ ଆସିବ – ଦାତାମାନଙ୍କ ଦାନରୁ ଏବଂ ତାହାର ଦୁଇ ଗୁଣ ରାଶି ସରକାରଙ୍କ ଦ୍ୱାରା ଏଥିପାଇଁ ଗଠିତ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠିରୁ।

ବ୍ୟକ୍ତିବିଶେଷ, କେତେକ ବ୍ୟକ୍ତି ମିଳିତ ଭାବରେ କିମ୍ବା ସଂଗଠନମାନେ ମୋ ସ୍କୁଲ ପାଇଁ ଦାନ ଦେଇପାରିବେ। ଏହି ଅନୁଦାନ ଅର୍ଥ ହୋଇପାରେ, କିମ୍ବା ଉପକରଣ ବା ସେବା ମଧ୍ୟ ହୋଇପାରେ। ଦାତାମାନଙ୍କ ଦାନ ଏକ ମୂଳ ପାଣ୍ଠିରେ ଜମା ରହିବ ଓ ଏହି ପାଣ୍ଠି ସାମଗ୍ରିକ ଭାବରେ ମୋ ସ୍କୁଲ କାର୍ଯ୍ୟକ୍ରମ ପାଇଁ ଉପଯୋଗ ହେବ। ତେବେ ଦାତାମାନେ ଯଦି ଚାହିଁବେ ନିଜ ଦାନର ଉପଯୋଗ ଏକ ନିର୍ଦ୍ଦିଷ୍ଟ ଜିଲ୍ଲା, ନିର୍ଦ୍ଦିଷ୍ଟ ବିଦ୍ୟାଳୟ କିମ୍ବା ନିର୍ଦ୍ଦିଷ୍ଟ ପ୍ରକଳ୍ପରେ ବ୍ୟବହାର କରାଇବା ପାଇଁ ଅନୁରୋଧ କରିପାରିବେ।

ସହାୟତା କେବଳ ଆର୍ଥିକ, ଉପକରଣ ପ୍ରଦାନ କିମ୍ବା ସେବାରେ ସୀମିତ ରହିବ ନାହିଁ। ପୁରାତନ ବିଦ୍ୟାର୍ଥୀ ଏବଂ ଅନ୍ୟାନ୍ୟ ଆଗ୍ରହୀ ବ୍ୟକ୍ତିଙ୍କ ଜ୍ଞାନ, ପେଶାଦାର ସଫଳତା ତଥା ଅଭିଜ୍ଞତାକୁ ମୋ ସ୍କୁଲ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହିତ ଯୋଡି ଦେବ। ଏହାଦ୍ବାରା ଶିକ୍ଷକ ସଶକ୍ତିକରଣ ହେବ ଏବଂ ଅଭିଭାବକ ଓ ସ୍ଥାନୀୟ ଅନୁଷ୍ଠାନମାନ ମଧ୍ୟ ଛାତ୍ରଛାତ୍ରୀଙ୍କ ବିକାଶ କ୍ଷେତ୍ରରେ ସହଭାଗୀ ହୋଇପାରିବେ।

"ମୋ' ସ୍କୁଲ" ପାଣ୍ଠିର ଉପଯୋଗ

"ମୋ' ସ୍କୁଲ" ପାଣ୍ଠି ବିଭିନ୍ନ କ୍ଷେତ୍ରରେ ଉପଯୋଗ ହୋଇପାରିବ।

  • ହଷ୍ଟେଲ, ବିଜ୍ଞାନାଗାର, ପାଠାଗାର, ବୈଦ୍ୟୁତିକ ସାମଗ୍ରୀ, ଇଣ୍ଟରନେଟ୍‌, ଶ୍ରେଣୀଗୃହ, ଆସବାବପତ୍ର, ଶୌଚାଳୟ, ନିର୍ମଳ ପାନୀୟ ଜଳ, ପାଚେରୀ, ହ୍ଵିଲଚେୟାର ଯିବା ପାଇଁ ପଥ ଆଦି ଭିତ୍ତିଭୂମିର ଅଭାବକୁ ପୂରଣ କରିବା।
  • ଶିକ୍ଷାଦାନ ପରିବେଶକୁ ମାନବିକ ଓ ପ୍ରଯୁକ୍ତିଗତ ଉଦ୍ୟମ ମାଧ୍ୟମରେ ଆହୁରି ଉନ୍ନତ କରିବା ଏବଂ ତାହାକୁ ବିଶ୍ୱସ୍ତରୀୟ କରିବା।
  • କ୍ରୀଡା ଭିତ୍ତିଭୂମିର ବିକାଶ ଓ କୋଚିଂ ସହାୟତା ପ୍ରଦାନ।
  • ବାର୍ଷିକ ସ୍ୱାସ୍ଥ୍ୟପରୀକ୍ଷା, ଡାକ୍ତର ବା ପରାମର୍ଶଦାତା ପରିଦର୍ଶନ ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ନିଶ୍ଚିତକରିବା ।
  • ବିଶେଷଜ୍ଞ ଓ ସଂସ୍ଥାମାନଙ୍କ ସହାୟତା ନେଇ ବହୁମୁଖୀ ଶିକ୍ଷାଦାନ ବିଷୟବସ୍ତୁ (ଡକ୍ୟୁମେଣ୍ଟାରୀ, ଫିଲ୍ମ ଓ ଆଲୋଚନା) ପ୍ରସ୍ତୁତ କରିବା ।
  • ଅଭିନବ ତାଲିମ କାର୍ଯ୍ୟକ୍ରମ, କର୍ମଶାଳା ଆଦି ଆୟୋଜନ କରି ଏବଂ ବିଭିନ୍ନ ପୁରସ୍କାର ସନ୍ନିବିଷ୍ଟ କରି ଶିକ୍ଷକମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ଅନୁପସ୍ଥିତି ଜନିତ ସମସ୍ୟାର ସମାଧାନ କରିବା ।
  • ଶିକ୍ଷଣୀୟ ଭ୍ରମଣ, ଆଦାନପ୍ରଦାନ କାର୍ଯ୍ୟକ୍ରମ, ଜାତୀୟ ସ୍ତରର କ୍ରୀଡା/ସାହିତ୍ୟ/ ସାଂସ୍କୃତିକ ଆଦି କାର୍ଯ୍ୟକ୍ରମରେ ଯୋଗଦାନକୁ ପ୍ରୋତ୍ସାହିତ କରିବା ।
  • ପିଲାମାନଙ୍କ ମଧ୍ୟରେ ନିଜ କାମ ନିଜେ କରି ସ୍ବାବଲମ୍ବୀ ହେବା ସଂସ୍କୃତିର ପ୍ରସାର କରାଇବା।
  • ପ୍ରତି ସ୍କୁଲରେ ବଗିଚାଟିଏ ଆରମ୍ଭ କରାଯିବ।ସେଠାରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନେ ମିଶି ଗଛ ଲଗାଇପାରିବେ ଏବଂ ପିଲାମାନେ ସ୍ଥାନୀୟ କୃଷକମାନଙ୍କଠାରୁ ଗଛ ଲଗାଇ ତାହାକୁ ବଢାଇବାର କୌଶଳ ଶିଖିପାରିବେ ।
  • "ମୋ' ସ୍କୁଲ" କାର୍ଯ୍ୟକ୍ରମ ସଂପର୍କିତ ଏକ ବ୍ୟାପକ ଡାଟାବେସ୍‌ ଓ ଏସଂପର୍କିତ ଡିଜିଟାଲ ଉପକରଣ ପ୍ରସ୍ତୁତ କରିବା। ଏହାଦ୍ବାରା ଏହି କାର୍ଯ୍ୟକ୍ରମ ସହ ସଂପୃକ୍ତ ସବୁ ପକ୍ଷ ବିଭିନ୍ନ ପ୍ରକଳ୍ପର ପ୍ରଗତି ଓ ଫଳାଫଳ ସଂପର୍କରେ ପ୍ରତ୍ୟକ୍ଷ ଭାବରେ ଜାଣିପାରିବେ ଓ ନିଜର ମତାମତ ଦେଇପାରିବେ ।
  • ସ୍କୁଲଶିକ୍ଷାରେ ଉନ୍ନତମାନର କୌଶଳ-ଉପଯୋଗକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟକ୍ରମମାନ ଆୟୋଜନ ଓ ପରିଚାଳନା କରିବା ।
  • "ମୋ' ସ୍କୁଲ ଅଭିଯାନ" ନେଇ କର୍ମଶାଳା ଓ ଆଲୋଚନାଚକ୍ରର ଆୟୋଜନ କରି ସ୍କୁଲ ଶିକ୍ଷା ସମ୍ପର୍କିତ ନୀତିକୁ ଆହୁରି ବିସ୍ତୃତ କରିବା ।
  • "ମୋ' ସ୍କୁଲ" ସଂପର୍କରେ କର୍ମଶାଳା, ଆଲୋଚନାଚକ୍ର ଆଦିର ଆୟୋଜନ ଏବଂ ସ୍କୁଲ ଶିକ୍ଷା ସଂପର୍କିତ ନୀତି ପ୍ରସଙ୍ଗଗୁଡ଼ିକର ବିସ୍ତାର ।
top
top