ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଚପ୍ରିଆ : ଶିକ୍ଷା-କ୍ରୀଡ଼ା-ଦକ୍ଷତା ବିକାଶ: ସବୁଥିରେ ଆଗରେ

ବଣ, ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲା ସଦର ମହକୁମାଠାରୁ ୬୫ କିଲୋମିଟର ଦୂରରେ ରହିଛି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଚପ୍ରିଆ । ଗୋଲମୁଣ୍ଡା ବ୍ଲକ୍‌ରେ ଥିବା ଏହି ବିଦ୍ୟାଳୟଟି ଶାନ୍ତ, ସୁନ୍ଦର ଏବଂ ସବୁଜ ବନାନୀ ଭରା ପରିବେଶ ଘେରା । ସ୍କୁଲ୍‌ର ଅଧିକାଂଶ ଛାତ୍ରଛାତ୍ରୀ ସ୍ଥାନୀୟ ଆଦିମ ଜନଜାତି । ତେବେ ଏକ ଉପାନ୍ତ ଅଞ୍ଚଳରେ ରହିଥିଲେ ମଧ୍ୟ ଏହି ସ୍କୁଲ୍‌ରେ ରହିଛି ସମସ୍ତ ଅତ୍ୟାଧୁନିକ ସୁବିଧା । ଉତ୍ତମ ଶ୍ରେଣୀଗୃହ ଓ ପିଲାମାନଙ୍କ ପାଇଁ ଡେସ୍କ, ବେଞ୍ଚରୁ ଆରମ୍ଭକରି ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା, ଖେଳପଡ଼ିଆ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ର‌୍ୟାମ୍ପ୍ ସୁବିଧା, ବିଦ୍ୟୁତ୍ ସଂଯୋଗ ଏବଂ ଏକ ସୁସଗଂଠିତ ପାଠାଗାର ଏହି ବିଦ୍ୟାଳୟରେ ରହିଛି । ଏ ସବୁ ସମ୍ଭବ ହୋଇପାରିଛି ରାଜ୍ୟ ସରକାରଙ୍କ ଅଭିନବ ଯୋଜନା ‘ମୋ ସ୍କୁଲ୍‌\’ ପାଇଁ । ୨୦୧୮ରେ ‘ମୋ ସ୍କୁଲ୍ ଅଭିଯାନ\’ ସହ ଯୋଡ଼ି ହେବାପରେ ଏହି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଉପଲବ୍ଧ କରିପାରିଛି । ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ସହପାଠ୍ୟଭିତ୍ତିକ କାର୍ଯ୍ୟକ୍ରମରେ ମଧ୍ୟ ବେଶ୍ ଆଗକୁ ଯାଇଛି ଏହି ବିଦ୍ୟାଳୟ ।

୧୯୮୯ରେ ପଞ୍ଚାୟତବାସୀଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟ ଏକ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ । ସରକାରୀ ଅନୁଦାନ କମ୍ ମିଳୁଥିବାରୁ ପିଲାମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇବା ପାଇଁ ସ୍କୁଲ୍ କର୍ତ୍ତୃପକ୍ଷ ତଥା ଗ୍ରାମବାସୀ ଏବଂ ଅଭିଭାବକମାନେ ସବୁବେଳେ ଚେଷ୍ଟା କରି ଆସୁଥିଲେ । ବିଦ୍ୟାଳୟରେ ଖେଳପଡ଼ିଆଟିଏ ରହିଥିଲେ ମଧ୍ୟ ଖେଳ ଉପକରଣ ଅଭାବ ଯୋଗୁଁ ଆଗ୍ରହୀ ପିଲାମାନେ ଖେଳିବାର ସୁଯୋଗ ପାଇପାରୁ ନ ଥିଲେ । ଏହି ଭଳି କେତେକ ଅସୁବିଧାକୁ ଦୂର କରିବା ଦିଗରେ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍ ଅଭିଯାନ\’ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଅଭିଯାନ ସମ୍ପର୍କରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ପାଇଁ ସଭାର ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟର କିଛି ପ୍ରମୁଖ ପୁରାତନ ଛାତ୍ର ଯୋଗଦେଇ ସ୍କୁଲ୍‌ରେ ଥିବା ଅସୁବିଧାଗୁଡ଼ିକର ସମାଧାନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ବିଦ୍ୟାଳୟକୁ ୨,୧୭,୮୦୦ ଟଙ୍କାର ଆର୍ଥିକ ସହଯୋଗ ମିଳିଛି । ଏହି ଅର୍ଥର ଦୁଇଗୁଣା ମ୍ୟାଚିଂଗ୍ରାଣ୍ଟକୁ ମିଶାଇ ବିଦ୍ୟାଳୟକୁ ମିଳିଥିବା ସର୍ବମୋଟ ୬,୫୩,୪୦୦ ଟଙ୍କାରେ ନୂଆ ଆସବାବପତ୍ର କିଣାଯାଇଛି । ଶ୍ରେଣୀଗୃହଗୁଡ଼ିକର ନବୀକରଣ କରାଯାଇଛି । ପିଲାଙ୍କୁ ଉତ୍ତମ ଶିକ୍ଷାଦାନ ଲାଗି ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଖେଳ ଉପକରଣ କିଣାଯାଇ ପିଲାଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବାକୁ ଉଦ୍ୟମ ଜାରିରହିଛି । ଭବିଷ୍ୟତରେ ‘ମୋ ସ୍କୁଲ୍ ଅଭିଯାନ\’ ମାଧ୍ୟମରେ ଆହୁରି ଉନ୍ନତିମୂଳକ କାର୍ଯ୍ୟ କରିବାକୁ ଉଭୟ ପୁରାତନ ଛାତ୍ରଛାତ୍ରୀ ଏବଂ ସ୍କୁଲ୍ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି ।

‘ମୋ ସ୍କୁଲ୍ ଅଭିଯାନ\’ ମାଧ୍ୟମରେ ଆମ ବିଦ୍ୟାଳୟର ସାମଗ୍ରିକ ଉନ୍ନତି ହୋଇପାରିଛି । ଯେଉଁ ସୁବିଧା ପାଇବେ ବୋଲି ଆମ ପିଲାମାନେ କେବେ ଭାବି ନଥିଲେ ଆଜି ସେ ସୁବିଧା ସୁଯୋଗ ସେମାନଙ୍କ ହାତପାଆନ୍ତାରେ ରହିଛି । ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସବୁ ଶ୍ରେୟ ଦେବି ।

ଶ୍ରୀ ସୁନୀଲ୍ କୁମାର ଗହୀର, ଅଭିଭାବକ