ଗୋପୀନାଥ ଉଚ୍ଚ ବିଦ୍ୟାଳୟ, ନୂଆପଡ଼ା : ବାଟ ଦେଖାଇଛି ପୁରାତନ ଛାତ୍ରଙ୍କ ସ୍ୱେଚ୍ଛାକୃତ ଶିକ୍ଷାଦାନ

୧୯୯୧ ମସିହାରେ ଗ୍ରାମବାସୀମାନଙ୍କ ସହଯୋଗରେ ନୂଆପଡା ଜିଲ୍ଲାର ଖରିଆର ବ୍ଲକ୍‌ରେ ଆରମ୍ଭ ହୋଇଥିଲା ଗୋପୀନାଥ ଉଚ୍ଚ ବିଦ୍ୟାଳୟ। ବିଦ୍ୟାଳୟ ପ୍ରତିଷ୍ଠା ପଛରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଶିକ୍ଷାବିତ୍ ତଥା ସ୍ଥାନୀୟ ସରପଞ୍ଚ ସ୍ୱର୍ଗତ ଶ୍ରୀ ଗୋପୀନାଥ ବୈଠାରୁ। ଆଉ ଏହି ମହତ୍ କାର୍ଯ୍ୟ ପାଇଁ ନିଜର ୩ଏକର ଜମି ପ୍ରଦାନ କରିଥିଲେ ସ୍ୱର୍ଗତ ଶ୍ରୀ ବିଶ୍ୱମ୍ବର ଦାସ ଏବଂ ଶ୍ରୀ ଗୋପୀନାଥ ବୈଠାରୁ। ବେସରକାରୀରୁ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ମାନ୍ୟତା ପାଇଥିବା ଏହି ବିଦ୍ୟାଳୟକୁ ଏହାର ପ୍ରତିଷ୍ଠାତାଙ୍କ ନାମରେ ନାମକରଣ କରାଯାଇଛି। ଶିକ୍ଷାଦାନ ଆରମ୍ଭ ହେବା ପରଠାରୁ ଗୋପୀନାଥ ଉଚ୍ଚ ବିଦ୍ୟାଳୟ କେବଳ ଅଧାରୁ ପାଠ ପଢୁଥିବା ପିଲାମାନଙ୍କ ସଂଖ୍ୟାକୁ କମ୍ କରିନି, ବରଂ ଅନେକ ଶିକ୍ଷାବିତ୍‌, ପ୍ରତିଷ୍ଠିତ ଏବଂ ସଫଳ ବ୍ୟକ୍ତିଙ୍କୁ ତିଆରି କରିବାପରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ତେବେ ଆରମ୍ଭରୁ ସ୍ଥାନୀୟ ଲୋକଙ୍କ ସହଯୋଗ ପାଇଆସିଥିବା ଏହି ବିଦ୍ୟାଳୟ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍ ଅଭିଯାନ’ରେ ଅନ୍ତର୍ଭୁକ୍ତ ହେବାପରେ ଗୋଷ୍ଠୀ ସହଭାଗିତାର ଏକ ଶ୍ରେଷ୍ଠ ଉଦାହରଣ ପାଲଟିଛି। ବର୍ତ୍ତମାନ ଏଠାରେ ୮ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ସେମାନଙ୍କୁ ଯେପରି ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିପାରିବ ସେଥିଲାଗି ସ୍କୁଲ୍‌ର ପୁରାତନ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଲୋକ ଦିନରାତି ଏକ କରି ଦେଇଛନ୍ତି। ବିଜ୍ଞାନ ଶିକ୍ଷକଙ୍କ ଅବସର ପରେ ଗତ କିଛିଦିନ ହେଲା ଏଠାରେ ବିଜ୍ଞାନ ପଢାଇବାକୁ କେହି ନାହାନ୍ତି। ଏଭଳିସ୍ଥଳେ ନିକଟସ୍ଥ କଲେଜରେ ଯୁକ୍ତ ୩ ବିଜ୍ଞାନ ପଢୁଥିବା ବିଦ୍ୟାଳୟର ଜଣେ ପୁରାତନ ମେଧାବୀ ଛାତ୍ର ଜାନକୀ ମେହେର ଗତ ଏକବର୍ଷ ହେଲା ସ୍ୱେଚ୍ଛାକୃତ ଭାବରେ ସ୍କୁଲ୍‌ରେ ବିଜ୍ଞାନ ଶିକ୍ଷାଦାନ କରୁଛନ୍ତି। ଜାନକୀ ଏକା ନୁହଁନ୍ତି, ୨୦୧୮-୧୯ ଶିକ୍ଷାବର୍ଷରେ ଏଠାରେ ‘ମୋ ସ୍କୁଲ୍ ଅଭିଯାନ’ ଆରମ୍ଭ ହେବାପରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଏବେ ସ୍କୁଲ୍ ସହ ଯୋଗାଯୋଗରେ ରହୁଛନ୍ତି। ସ୍କୁଲ୍ କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧାରେ ସାହାଯ୍ୟ କରୁଛନ୍ତି। ପିଲାମାନଙ୍କ ବୌଦ୍ଧିକ ବିକାଶରେ ପୁରାତନ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଯୋଗ ଯୋଗୁ ସ୍କୁଲ୍ ବୋର୍ଡ ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଛି। ଗତବର୍ଷଗୁଡ଼ିକ ତୁଳନାରେ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାଫଳରେ ୨୫ପ୍ରତିଶତ ବୃଦ୍ଧି ଘଟିଛି। ପାଠରେ ଦୁର୍ବଳ ଥିବା ପିଲାମାନଙ୍କୁ ପୁରାତନ ଛାତ୍ରଛାତ୍ରୀମାନେ ଆସି ସ୍ୱତନ୍ତ୍ର ଭାବରେ ପଢାଉଥିବାରୁ ଏହି ସଫଳତା ମିଳିଛିଥିବା ପ୍ରଧାନଶିକ୍ଷକ ରବିଶଙ୍କର ବୈଠାରୁ କହିଛନ୍ତି। ‘ମୋ ସ୍କୁଲ୍ ଅଭିଯାନ’ ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ ବିଦ୍ୟାଳୟ ସହ ପୁଣିଥରେ ଯୋଡିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହାଦ୍ୱାରା ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଅନେକ ସମସ୍ୟାର ସମାଧାନ ହୋଇପାରୁଛି। ଆବଶ୍ୟକ ଭିତ୍ତିଭୂମି ଏବଂ ସୁସ୍ଥ ବାତାବରଣ ଯୋଗୁ ପିଲାମାନଙ୍କ ଉପସ୍ଥାନରେ ବୃଦ୍ଧି ଘଟିଥିବା ଶ୍ରୀ ବୈଠାରୁ କହିଛନ୍ତି।

କେମିତି ହୋଇଛି ଭିତ୍ତିଭୂମି ବିକାଶ

ସ୍କୁଲ୍‌ର ରୌପ୍ୟ ଜୟନ୍ତୀ ସମାରୋହରେ ପୁରାତନ ଛାତ୍ରଛାତ୍ରୀଙ୍କୁ ‘ମୋ ସ୍କୁଲ୍ ଅଭିଯାନ’ ସମ୍ପର୍କରେ ଅବଗତ କରାଯିବା ପରେ ଅନେକ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟର ଉନ୍ନତିରେ ସହଯୋଗ କରିବାକୁ ଆଗେଇ ଆସିଥିଲେ। ସମସ୍ତେ ମିଳିମିଶି ସ୍କୁଲ୍‌ର ବିକାଶ ପାଇଁ ୧୦ ଲକ୍ଷ ୫୮ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ‘ମୋ ସ୍କୁଲ୍‌’ ମାଧ୍ୟମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଗୁଣା ଆର୍ଥିକ ଅନୁଦାନ ୨୧ଲକ୍ଷ ୧୭ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହାପରେ ମୋଟ ୩୧ଲକ୍ଷ ୭୫ହଜାର ଟଙ୍କାରେ ବିଦ୍ୟାଳୟର ବିକାଶ ପାଇଁ ବିଭିନ୍ନ ଉନ୍ନିମୂଳକ କାର୍ଯ୍ୟ ହାତକୁ ନିଆଯାଇଥିଲା। ଏକ ନୂତନ ସାଇକେଲ୍ ଷ୍ଟାଣ୍ଡ୍ ନିର୍ମାଣ, ଉତ୍ତମ ପାନୀୟ ଜଳ ବ୍ୟବସ୍ଥା, ପାଠାଗାର, ବଗିଚା ସୌନ୍ଦର୍ଯ୍ୟକରଣ, ଶ୍ରେଣୀଗୃହ ମରାମତି, ମୁଖ୍ୟ ଫାଟକ ନିର୍ମାଣ, ପାଣିଟାଙ୍କି, ଶ୍ରେଣୀଗୃହରେ ବେଞ୍ଚ୍ ଡେସ୍କ ବ୍ୟବସ୍ଥା, ନୂତନ ବିଜ୍ଞାନ ଉପକରଣ, ପାଥ୍‌ୱେ, ହ୍ୟାଣ୍ଡ୍‌ୱାଶ୍ ବେଶିନ୍ ଓ ଥଣ୍ଡା ପାଣି ବ୍ୟବସ୍ଥା ଆଦି କରାଯାଇଛି। ଏହାସହ ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ୍ ଶୌଚାଳୟ ଏବଂ କମ୍ପ୍ୟୁଟର ଶିକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଗାମୀଦିନରେ ଗୋପୀନାଥ ଉଚ୍ଚ ବିଦ୍ୟାଳୟକୁ ଜିଲ୍ଲା ଏବଂ ରାଜ୍ୟର ଏକ ଶ୍ରେଷ୍ଠ ସରକାରୀ ବିଦ୍ୟାଳୟରେ ପରିଣତ କରିବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି ସ୍କୁଲ୍‌ର ପୁରାତନ ଛାତ୍ର ଶ୍ରୀ ନବଘନ ଦାସ।