ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ, କାନପୁରା : ଗୋଷ୍ଠୀ ସହଭାଗିତାର ନିଆରା ଦୃଷ୍ଟାନ୍ତ

ବିଦ୍ୟାଳୟର ବିକାଶ ପ୍ରକ୍ରିୟାରେ ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନକୁ ହୃଦୟଙ୍ଗମ କରି ୨୦୧୭ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ସ୍କୁଲ୍ ଅଭିଯାନ’କୁ ଏକ ଆନ୍ଦୋଳନରେ ପରିଣତ କରିଥିବା ଏକ ବିଦ୍ୟାଳୟ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ, କାନପୁରା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ରେ ଥିବା ଏହି ବିଦ୍ୟାଳୟ ‘ମୋ ସ୍କୁଲ୍ ଅଭିଯାନ’ର ଏକ ସଫଳ ଉଦାହରଣ । ୧୯୯୨ ମସିହାରେ ଏକ ମହତ ଉଦ୍ଦେଶ୍ୟ ନେଇ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ଜିଲ୍ଲାର ଏକ ଆଭ୍ୟନ୍ତରୀଣ ଅଞ୍ଚଳରେ ରହିଛି । ଏକ ବେସରକାରୀ ଭାବରେ ଆରମ୍ଭ ହୋଇଥିବା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ୨୦୦୮ରେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପରିଣତ ହୋଇଥିଲା । ତେବେ ସ୍ଥାନୀୟ ଗ୍ରାମବାସୀ, ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ଉଦ୍ୟମରେ ଏହି ସ୍କୁଲ୍ ଆଜି ‘ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ରାଜ୍ୟର ତୃତୀୟ ସର୍ବାଧିକ ଆର୍ଥିକ ସହାୟତା ପାଇଥିବା ବିଦ୍ୟାଳୟରେ ପରିଣତ ହୋଇପାରିଛି ।
କାନପୁରା ଏବଂ ନିକଟସ୍ଥ ଏକତାଳି, ଜନ୍ତାରିବୋଲ, ପଲ୍ଲୀ ସନ୍ତରାପୁର, ରାଜକୁଲକାତେନ ଗ୍ରାମର କିଛି ପ୍ରତିଷ୍ଠିତ ବ୍ୟକ୍ତି ଏବଂ ‘ପ୍ରକୃତି ସୁରକ୍ଷା ସମିତି’ର ମିଳିତ ଉଦ୍ୟମରେ ଏହି ସ୍କୁଲ୍ ଦୀର୍ଘ ୨୮ ବର୍ଷ ପୂର୍ବେ ଗଢି ଉଠିଥିଲା । ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ବିକାଶ ଲାଗି ଶ୍ରୀ ପ୍ରଭାକର ରାଉତ, ଶ୍ରୀ ଦଣ୍ଡଧର ରାଉତ, ଶ୍ରୀ ଦୋଳଗୋବିନ୍ଦ ରାଉତ, ଶ୍ରୀ ଆର୍ତ୍ତବନ୍ଧୁ ବିଶ୍ୱାଳ, ଶ୍ରୀ ତୀର୍ଥବାସୀ ପାତ୍ର, ଶ୍ରୀ ସୂର୍ଯ୍ୟକାନ୍ତ ବିଶ୍ୱାଳ, ଶ୍ରୀ ରବି କୁମାର ସାମଲ, ଶ୍ରୀ ପ୍ରହ୍ଲାଦ ସାହୁ ଏବଂ ଶ୍ରୀ ମିହିର କୁମାର ରାଉତଙ୍କ ଭଳି କିଛି ସହୃଦୟ ବ୍ୟକ୍ତିଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇପାରିଥିଲା । ମାତ୍ର କେଇଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ସ୍କୁଲ୍ ଏବେ ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛି । ପ୍ରତିଷ୍ଠା ହେବାର ମାତ୍ର କିଛିବର୍ଷ ମଧ୍ୟରେ ସମଗ୍ର ଜିଲ୍ଲାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ କରିବାରେ ସ୍କୁଲ୍‌ର ପୁରାତନ ଛାତ୍ରଛାତ୍ରୀଙ୍କ ବିଶେଷ ଅବଦାନ ରହିଥିବା ବେଳେ ‘ମୋ ସ୍କୁଲ୍ ଅଭିଯାନ’ ତାହାକୁ ଆହୁରି ସୁଦୃଢ କରିଛି । ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ଭିତ୍ତିଭୂମି ସମ୍ପୂର୍ଣ୍ଣ ନୂଆ ରୂପ ପାଇଥିବା ବେଳେ ପାଠପଢା ସହ ଖେଳକୁଦ, ବିଭିନ୍ନ ପ୍ରତିଯୋଗିତା ଏବଂ ନୈତିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି ।
୨୦୧୮ ମସିହାରେ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ‘ମୋ ସ୍କୁଲ୍ ଅଭିଯାନ’ରେ ଅନ୍ତର୍ଭୁକ୍ତ ହେବାପରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଏକାଠି କରିବାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀରାମ ରାଉତ. ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସୋସିଆଲ ମିଡ଼ିଆ ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପୁରାତନ ବିଦ୍ୟାର୍ଥୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ମାତ୍ର କିଛିଦିନ ମଧ୍ୟରେ ମୋ ସ୍କୁଲ୍ ଅଭିଯାନକୁ ଏହି ସ୍କୁଲ୍‌ରେ ବିପୁଳ ସଫଳତା ମିଳିଥିବା ବେଳେ ପୁରାତନ ଛାତ୍ରଛାତ୍ରୀମାନେ ଇତିମଧ୍ୟରେ ମୋଟ ୩୮,୪୩, ୮୦୫ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ମୋ ସ୍କୁଲ୍‌ର ଦୁଇଗୁଣା ଆର୍ଥିକ ସହାୟତା ରାଶି ୭୬,୮୭,୬୧୦ ଟଙ୍କାକୁ ମିଶାଇ ମୋଟ ୧,୧୫,୩୧,୪୧୫ ଟଙ୍କାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯାଇଛି ।
ପ୍ରଥମ ପର୍ଯ୍ୟାୟରେ ନୂତନ ଶ୍ରେଣୀଗୃହ ନିର୍ମାଣ ସହ ଏକ କମ୍ପ୍ୟୁଟର ଲ୍ୟାବ୍ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅତ୍ୟାଧୁନିକ ପାଠାଗାର ନିର୍ମାଣ କରାଯାଇଛି । ପିଲାମାନେ ଦିନର ଅଧିକାଂଶ ସମୟ ସ୍କୁଲ୍‌ରେ ଅତିବାହିତ କରୁଥିବାରୁ ବିଦ୍ୟାଳୟ ପରିସରରେ ସେମାନଙ୍କ ପାଇଁ ଯେପରି ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ହେବ ତାହାକୁ ଗୁରୁତ୍ୱ ଦିଆଯାଇଛି । ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଏକ ଡାଇନିଂ ହଲ୍ ଏବଂ ଶ୍ରେଣୀଗୃହରେ ବସିବା ପାଇଁ ନୂତନ ବେଞ୍ଚ ଓ ଡେସ୍କ କିଣାଯାଇଛି । ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ଆଉଏକ ଶ୍ରେଣୀଗୃହ ନିର୍ମାଣ, ଖେଳପଡ଼ିଆ ଏବଂ ରୋଷେଇଘରର ମରାମତି କରାଯାଇଛି । ସେହିଭଳି ୪ର୍ଥ ପର୍ଯ୍ୟାୟରେ ସ୍କୁଲ୍ କୋଠା ମରାମତି ସହ ରଙ୍ଗ ଦିଆଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ କ୍ଷେତ୍ରରେ ଅଧିକ ଦକ୍ଷ କରିବା ଏବଂ ଆଗାମୀ ଭବିଷ୍ୟତ ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବାକୁ ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ଶିକ୍ଷାଦାନ ଏବଂ ଏକ ଅତ୍ୟାଧୁନିକ ମ୍ୟାଥ୍‌ମେଟିକ୍ସ ଲ୍ୟାବ୍ ନିର୍ମାଣ କରିବାକୁ ପୁରାତନ ଛାତ୍ରଛାତ୍ରୀମାନେ ଯୋଜନା କରିଥିଲେ, ଯାହାର କାମ ଏବେ ଜାରିରହିଛି ।
ବିଦ୍ୟାଳୟର ବିକାଶ ପାଇଁ ୮୪୫ଜଣ ପୁରାତନ ଛାତ୍ରଛାତ୍ରୀ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ଶ୍ରୀ ସତ୍ୟଜିତ୍ ରାଉତ, ଶ୍ରୀ ଦିନେଶ ଦାସ, ଶ୍ରୀ ନିହାରିକା ରାଉତ, ଶ୍ରୀ ଦିଲ୍ଲୀପ କୁମାର ବିଶ୍ୱାଳ, ଶ୍ରୀ ସୂର୍ଯ୍ୟକାନ୍ତ ବିଶ୍ୱାଳ, ଶ୍ରୀ ଲୋକନାଥ ଷଡଙ୍ଗୀ, ଶ୍ରୀ ସୁଶାନ୍ତ କୁମାର ପଟ୍ଟନାୟକ ଏବଂ ଶ୍ରୀ ପ୍ରୀତିରଞ୍ଜନ ଦିବ୍ୟଜ୍ୟୋତି । ଆର୍ଥିକ ସହାୟତା ବ୍ୟତୀତ ଏହି ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ସ୍କୁଲ୍‌ରେ ଏକ ଇକୋ କ୍ଲବ୍‌, ବିଜ୍ଞାନ କ୍ଲବ୍‌, ଭାଷା ସାହିତ୍ୟ କ୍ଲବ୍‌୍‌, ସ୍ୱାସ୍ଥ୍ୟ ଓ ପରିମଳ କ୍ଲବ୍ କାର୍ଯ୍ୟ କରୁଛି । ସେହିଭଳି ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ହୋଇଥିବା ଫୁଲବଗିଚା ଏବଂ ପରିବା ବଗିଚା ଦେଖଣାହାରୀଙ୍କୁ ଆକୃଷ୍ଟ କରୁଛି । ଏହି ବଗିଚା ପାଇଁ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟକୁ ୨୦୨୦ରେ ଶ୍ରେଷ୍ଠ ଉଦ୍ୟାନ ପୁରସ୍କାର ମିଳିଛି । ‘ମୋ ସ୍କୁଲ୍ ଅଭିଯାନ’ ଦ୍ୱାରା ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ ହୋଇପାରିଛି । ସ୍କୁଲ୍‌ର ଡିଜିଟାଲ ଭିତ୍ତିଭୂମି ସୁଦୃଢ ହେବାଦ୍ୱାରା କୋଭିଡ୍ ମହାମାରୀ ସମୟରେ ପିଲାମାନେ ଘରେ ରହି ପଢିବା ସୁବିଧା ପାଇପାରୁଛନ୍ତି । ପୂର୍ବରୁ ଅନ୍‌ଲାଇନ୍ କ୍ଲାସ୍ କରିବାରେ ଶିକ୍ଷକମାନେ ସମସ୍ୟା ଭୋଗୁଥିବା ବେଳେ ଏବେ ତାହାର ସମାଧାନ ହୋଇପାରିଛି ବୋଲି ସ୍କୁଲ୍‌ର ପ୍ରଧାନଶିକ୍ଷକ ଶ୍ରୀରାମ ରାଉତ କହିଛନ୍ତି ।

previous arrow
next arrow
previous arrownext arrow
Slider