ୟୁନିଭର୍ସିଟି ଉଚ୍ଚ ବିଦ୍ୟାଳୟ : ପୁରାତନ ଛାତ୍ରଛାତ୍ରୀଙ୍କୁ ଏକାଠି କରିଛି ‘ଚାଲ ସ୍କୁଲ୍ ଯିବା’

ଚାଲ ସ୍କୁ୍ଲ୍ ଯିବା’ ନାମକ କାର୍ଯ୍ୟକ୍ରମ ଜରିଆରେ ପୁରାତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ସହ ଯୋଡି ହୋଇପାରୁଛନ୍ତି । ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଏକାଠି ହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶର ନକ୍ସା ପ୍ରସ୍ତୁତ କରୁଛନ୍ତି । ଡିଜିଟାଲ ଭିତ୍ତିଭୂମିର ବିକାଶ ସହ ଅଭାବୀ ଓ ଗରିବ ପରିବାରର ପିଲାମାନେ କିଭଳି ସ୍କୁଲ୍ ଯାଇ ପାଠ ପଢିପାରିବେ ସେଥିଲାଗି ଉଦ୍ୟମ ଜାରି ରଖିଛନ୍ତି ।

‘ରାଜ୍ୟ ସରକାରଙ୍କ ମୋ ସ୍କୁଲ୍ ଅଭିଯାନ ଜରିଆରେ ବିଦ୍ୟାଳୟର ଉନ୍ନତି ପାଇଁ ଯେତେବେଳେ ପୁରାତନ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଇଥିଲା, ସ୍କୁଲ୍ ଋଣ ପରିଶୋଧ କରିବା ଆଶାରେ ମୁଁ ଏହି ଅଭିଯାନ ସହ ଯୋଡ଼ି ହୋଇଥିଲି ।’

ଶକ୍ତି ବିଭାଗର ଏକାଧିକ ବରିଷ୍ଠ ପଦବୀରେ ଦୀର୍ଘ ୩୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି କାର୍ଯ୍ୟ କରିସାରିଥିବା ଶ୍ରୀ ଦୀପକ କୁମାର ସ୍ୱାଇଁ ଭୁବନେଶ୍ୱରସ୍ଥିତ ୟୁନିଭର୍ସିଟି ଉଚ୍ଚ ବିଦ୍ୟାଳୟର ଜଣେ ସଫଳ ପୁରାତନ ଛାତ୍ର । ବର୍ତ୍ତମାନ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟି୍ରବୁ୍ୟଶନ ଲିମିଟେଡ୍(ଟିପିସିଓଡିଏଲ୍)ର ଜେନେରାଲ୍ ମ୍ୟାନେଜର(ଏଚ୍ଆର୍) ପଦବୀରେ ଅବସ୍ଥାପିତ ଶ୍ରୀ ସ୍ୱାଇଁ ଜଣେ କର୍ତ୍ତବ୍ୟନିଷ୍ଠ ପୁରାତନ ଛାତ୍ର ଭାବରେ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍ ଅଭିଯାନ’ରେ ଯୋଡ଼ିହୋଇ ନିଜ ବିଦ୍ୟାଳୟର ଉନ୍ନତିରେ ଭାଗୀଦାରୀ ହୋଇଛନ୍ତି ।

ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ସଂଘ ସଭାପତି ଭାବରେ ଦାୟିତ୍ୱ ତୁଲାଉଥିବା ଶ୍ରୀ ସ୍ୱାଇଁଙ୍କ ଉପରେ ୩ ହଜାରରୁ ଊଦ୍ଧ୍ୱର୍ ପୁରାତନ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣ କରିବାର ଦାୟିତ୍ୱ ନ୍ୟସ୍ତ । ଆର୍ଥିକ ଅନୁଦାନ ବ୍ୟତୀତ ପ୍ରକଳ୍ପଗୁଡିକର ସଫଳ ରୂପାୟନ କିଭଳି ହୋଇପାରିବ ଓ ସ୍କୁଲ୍ରେ ପଢୁଥିବା ବର୍ତ୍ତମାନର ଛାତ୍ରଛାତ୍ରୀମାନେ କିଭଳି ତାହାର ସୁବିଧା ପାଇପାରିବେ ସେଥିପାଇଁ ସେ ସର୍ବଦା ଉଦ୍ୟମରତ । ୟୁନିଭର୍ସିଟି ଉଚ୍ଚ ବିଦ୍ୟାଳୟ ସହ ଏହାର ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ଶ୍ରୀ ସ୍ୱାଇଁଙ୍କ ପ୍ରଚେଷ୍ଟାରେ କିଛିବର୍ଷ ପୂର୍ବେ ‘ଚାଲ ସ୍କୁ୍ଲ୍ ଯିବା’ ନାମକ ଏକ ବାର୍ଷିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହା ମାଧ୍ୟମରେ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ଏକାଠି କରି ବିଦ୍ୟାଳୟ ଉନ୍ନତିର ନକ୍ସା ପ୍ରସ୍ତୁତ କରାଯାଇଥିଲା । ପିଲାଙ୍କୁ ଡିଜିଟାଲ କ୍ଷେତ୍ରରେ ଦକ୍ଷ କରିବାକୁ ସେମାନଙ୍କ ସ୍ମାର୍ଟ କ୍ଲାସ୍ରୁମ୍ରେ ପଢିବାର ସୁଯୋଗ ଦେବା, ଗରିବ ଛାତ୍ରଛାତ୍ରୀମାନଙ୍କୁ ପଠନ ସାମଗ୍ରୀ ଯୋଗାଇବା, ଖେଳପଡିଆର ବିକାଶ ଏବଂ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀଗୁଡିକ ପୂରଣ କରିବା ଦିଗରେ ସେମାନେ କାମ ଆରମ୍ଭ କରିଥିଲେ ।

previous arrow
next arrow
Slider

ସ୍କୁଲ୍ ପ୍ରଶାସନ ଏବଂ ପୁରାତନ ଛାତ୍ରଛାତ୍ରୀ ସଂଗଠନର ମିଳିତ ସହଯୋଗରେ ବର୍ତ୍ତମାନ ମଧ୍ୟରେ ବିଦ୍ୟାଳୟରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଇଛି । ସାଇକେଲ୍ ଷ୍ଟାଣ୍ଡ୍ ନିର୍ମାଣ ସହ ଶ୍ରେଣୀଗୃହ ନିର୍ମାଣ, ବାରଣ୍ଡାରେ ଟାଇଲ୍ସ ଲଗାଇବା, ନୂତନ ସିଡି ତିଆରି, ଆଇସିଟି ଲ୍ୟାବ୍ ନିର୍ମାଣ, ପାଠାଗାର ଏବଂ ବିଜ୍ଞାନାଗାରର ଉନ୍ନତିକରଣ, ଶୌଚାଳୟ ବ୍ୟବସ୍ଥା ଏବଂ ଛାତ୍ରୀମାନଙ୍କ ପାଇଁ ଇନ୍ସିନିରେଟର୍ ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ ଶ୍ରୀ ସ୍ୱାଇଁ ପ୍ରଚେଷ୍ଟାରେ ଏବଂ ‘ମୋ ସ୍କୁଲ୍’ ମାଧ୍ୟମରେ ଏଠାରେ ଦୁଇଟି ସ୍ମାର୍ଟ କ୍ଲାସରୁମ୍, ବଗିଚା, ପାନୀୟ ଜଳ ବ୍ୟବସ୍ଥା ଏବଂ ସ୍କୁଲ୍ରେ ଇନ୍ଭର୍ଟର ଲଗାଯାଇଛି ।

ବିଦ୍ୟାଳୟ ସହ ଥିବା ସମ୍ପର୍କ ବିଷୟରେ ପଚାରିବାରେ ଶ୍ରୀ ସ୍ୱାଇଁ କୁହନ୍ତି, ଅନ୍ୟମାନଙ୍କ ଭଳି ମୋର ମଧ୍ୟ ନିଜେ ପଢିଥିବା ବିଦ୍ୟାଳୟ ପ୍ରତି ଦୁର୍ବଳତା ରହିଛି । ନିଜ ସ୍କୁଲ୍କୁ ଉତ୍ତମ ଭିତ୍ତିଭୂମି ସହ ସ୍ମାର୍ଟ ଶ୍ରେଣୀଗୃହ, ଇ-ଲର୍ଣ୍ଣିଂ ସୁବିଧା ଥିବା ଏକ ଆଧୁନିକ ଶିକ୍ଷାନୁଷ୍ଠାନ ଭାବରେ ଦେଖିବାକୁ ସର୍ବଦା ଆଶା କରୁଛି । ତେଣୁ ଯେତେବେଳେ ରାଜ୍ୟ ସରକାରଙ୍କ ମୋ ସ୍କୁଲ୍ ଅଭିଯାନ ଜରିଆରେ ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଇଥିଲା, ସ୍କୁଲ୍ ଋଣ ପରିଶୋଧ କରିବା ଆଶାରେ ମୁଁ ଏହି ଅଭିଯାନ ସହ ଯୋଡ଼ି ହୋଇଥିଲି । ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ କରାଯାଇଥିବା ମୋ ସ୍କୁଲ୍ ଯୋଜନା ଦେଶରେ ପ୍ରଥମ । ଏହି ଅଭିଯାନ ଦ୍ୱାରା ଆମକୁ ସ୍କୁଲ୍ର ଋଣ ପରିଶୋଧ କରିବାର ସୁଯୋଗ ମିଳୁଛି । ଏହି ଅଭିଯାନ ଜରିଆରେ ଆମେ ନିଜ ପିଲାଦିନର ସ୍ମୃତିକୁ ମନେପକାଇ ସ୍କୁଲ୍ର ଅଭାବ ଅସୁବିଧା ଦୂର କରିବାରେ ସକ୍ଷମ ହୋଇପାରୁଛୁ ବୋଲି ସେ କହିଛନ୍ତି ।