ଶିଶୁମାନଙ୍କ ସାମଗ୍ରିକ ବିକାଶ ଏବଂ ମୋ ସ୍କୁଲ ଅଭିଯାନର ଲକ୍ଷ୍ୟ ହାସଲ ପାଇଁ ମୋ ସ୍କୁଲ ସଂଗଠନ ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା, ଦାତବ୍ୟ ଅନୁଷ୍ଠାନ, ଫାଉଣ୍ଡେସନ୍, କମ୍ପାନିମାନଙ୍କ ସାମାଜିକ ଦାୟିତ୍ୱବଦ୍ଧତା ବିଭାଗ (ସିଏସଆର) ଓ ଅନ୍ୟ ଅନୁଷ୍ଠାନମାନଙ୍କୁ ସହଭାଗୀ ହେବାକୁ ଆମନ୍ତ୍ରଣ କରୁଛି।
୨୦୧୮ ମସିହା ମେ ମାସରେ ମୋ ସ୍କୁଲ ଅଭିଯାନ ବିଧିବଦ୍ଧ ଆରମ୍ଭ ହେବା ପରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନୁଷ୍ଠାନ ଆମ ସହିତ ଯୋଗାଯୋଗ କରିଛନ୍ତି। ଶିଶୁମାନଙ୍କୁ ଭାଷା ଓ କମ୍ପ୍ୟୁଟର ଶିକ୍ଷା ଦେବା, ସେମାନଙ୍କୁ ନିରାପତ୍ତା ଓ ସ୍ୱଚ୍ଛତା ସଂପର୍କରେ ସଚେତନ କରିବା, ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଆଣୁଥିବା ମାନସିକ ଚାପର ମୁକାବିଲା କୌଶଳ ଶିଖାଇବା ପାଇଁ ସେମାନେ ଆଗ୍ରହ ଦେଖାଇଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ସଂସ୍ଥା ସହ ଆମର ଆଲୋଚନା ଆରମ୍ଭ ହୋଇଛି। ସେମାନଙ୍କ ସହିତ ଆଗାମୀ ସହଯୋଗିତା ସମ୍ପର୍କରେ ଆମେ ଏହି ୱେବ୍ ସାଇଟ୍ ଜରିଆରେ ସମସ୍ତଙ୍କୁ ଜଣାଇବୁ।
ଆପଣ ଯଦି ମୋ ସ୍କୁଲ ଅଭିଯାନ ସହିତ ଜଡିତ ହେବାକୁ ଚାହାନ୍ତି, ତେବେ ନିଜର ପ୍ରସ୍ତାବ ତଥା ପ୍ରାରମ୍ଭିକ ପରିକଳ୍ପନା ଆଦିକୁ [email protected] ମାଧ୍ୟମରେ ପଠାନ୍ତୁ। ଇମେଲ୍ର ବିଷୟ(Subject) ସ୍ଥାନରେ ପାର୍ଟନର ଲେଖନ୍ତୁ।
ପ୍ରସ୍ତାବ ପଠାଇବା ପାଇଁ ଆମ ସହ ଯୋଗାଯୋଗ କରିବାବେଳେ ଏହି ୧୨ଟି କ୍ଷେତ୍ର ଉପରେ ଧ୍ୟାନ ଦିଅନ୍ତୁ।
1 / ସ୍ବେଚ୍ଛାକୃତ ସେବା
ଦୂରରେ ଥାଆନ୍ତୁ ବା ପାଖରେ, ନିଜର ବହୁମୂଲ୍ୟ ସମୟରୁ କିଛି ଦିଅନ୍ତୁ। ଶିକ୍ଷା ଦେବା, ତାଲିମ, ପରାମର୍ଶ, ଆଲୋଚନା କରିବା, ପରିଷ୍କାର କରିବା, ସ୍କୁଲର ସୌନ୍ଦର୍ଯ୍ୟ ବୃଦ୍ଧି କରିବା, ମରାମତି କରିବା, ବଗିଚାରେ ଗଛ ଲଗାଇବା, ବଢାଇବା ଇତ୍ୟାଦି ଆପଣ କରିପାରିବେ।
2 / ଉପଦେଷ୍ଟା ହେବା/ରୋଲ୍ ମଡେଲ୍ ହେବା/କ୍ୟାରିୟର ପରାମର୍ଶ ଦେବା
ନୂଆ ନୂଆ ଜିନିଷ ଶିଖିବା ପାଇଁ ପିଲାମାନେ ଖୋଜନ୍ତି ଜଣେ ପଥପ୍ରଦର୍ଶକ, ପରାମର୍ଶଦାତା, ସହାନୁଭୂତିଶୀଳ ମଣିଷ କିମ୍ବା ରୋଲ୍ ମଡେଲ୍। ଆପଣ ଜଣେ ପଥ ପ୍ରଦର୍ଶକ ହୁଅନ୍ତୁ, ଜଣେ ରୋଲ୍ ମଡେଲ୍ ହୁଅନ୍ତୁ। ସେମାନଙ୍କୁ କ’ଣ ଭଲ ଲାଗେ, କ’ଣ ଅନୁପ୍ରାଣିତ କରେ, କ’ଣ ସେମାନଙ୍କର ସ୍ୱପ୍ନ, ତାହା ଧୈର୍ଯ୍ୟର ସହ ଶୁଣନ୍ତୁ। ପିଲାମାନଙ୍କୁ ଜ୍ଞାନ ଓ ଅଭିଜ୍ଞତା ବାଣ୍ଟନ୍ତୁ, ସେମାନଙ୍କର ସହାୟତା କରନ୍ତୁ, ସେମାନଙ୍କୁ ସଫଳତା ଓ ବିଫଳତାର କାହାଣୀ କୁହନ୍ତୁ ଏବଂ ନିଜର ଇପ୍ସିତ ପେଷା ବା ବୃତ୍ତି ବାଛିବାକୁ ସେମାନଙ୍କୁ ପ୍ରୋତ୍ସାହିତ କରନ୍ତୁ।
3 / ବାହ୍ୟ ଭିତ୍ତିଭୂମି
ଆପଣଙ୍କ ପସନ୍ଦର ସ୍କୁଲରେ ଥିବା ଭିତ୍ତିଭୂମି ଅଭାବ ଯଥା ହଷ୍ଟେଲ, ବିଜ୍ଞାନାଗାର, ପାଠାଗାର, ବୈଦ୍ୟୁତିକ ସାମଗ୍ରୀ, ଇଣ୍ଟରନେଟ୍, ଶ୍ରେଣୀଗୃହ, ଆସବାବପତ୍ର, ଶୌଚାଳୟ, ନିର୍ମଳ ପାନୀୟ ଜଳ, ପାଚେରୀ, ହ୍ଵିଲଚେୟାର ଯିବା ପାଇଁ ପଥ ଆଦିକୁ ପୂରଣ କରିବାକୁ ଅର୍ଥ ଓ ସମୟ ଦାନ ଦିଅନ୍ତୁ।
4 / ମାନସିକ ଭିତ୍ତିଭୂମି
ଛାତ୍ରଛାତ୍ରୀଙ୍କର ଉଭୟ ଦକ୍ଷିଣ ଓ ବାମ ମସ୍ତିଷ୍କ ବିକଶିତ କରାଇବା ପାଇଁ ଅଭିନବ ଉପାୟରେ ଶିକ୍ଷାଦାନ କରାଯାଉ। ସେମାନଙ୍କୁ ସେମାନଙ୍କର ବୟସ ଅନୁଯାୟୀ ଛପା ହୋଇଥିବା ବିଷୟବସ୍ତୁ, ଚଳଚ୍ଚିତ୍ର କିମ୍ବା ଡକ୍ୟୁମେଣ୍ଟାରୀ ପ୍ରଦାନ ଲାଗି ଉଦ୍ୟମ କରନ୍ତୁ। ସେସବୁ କିଣି ବା ସଂଗ୍ରହ କରି ନୂଆ ନୂଆ ଉପାୟରେ ସେମାନଙ୍କୁ ଶିକ୍ଷା ଦେବାକୁ ଚେଷ୍ଟା କରନ୍ତୁ। ଶିକ୍ଷାଦାନରେ କଳା, ଭାସ୍କର୍ଯ୍ୟ, ସନ୍ଧାନ, ସ୍ଥାପତ୍ୟ, ଡିଜାଇନ, ପ୍ରଯୁକ୍ତି, ବିଜ୍ଞାନ, ପ୍ରକୃତି, ସଂସ୍କୃତି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରନ୍ତୁ।
5 / ସ୍ୱାସ୍ଥ୍ୟ, ପୋଷଣ ଓ ନିରାମୟତା
ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ସ୍ତରକୁ ବଢାଇବାକୁ ଅନୁଦାନ ଦିଅନ୍ତୁ କିମ୍ବା ସହାୟତା କରନ୍ତୁ। ଚାଲୁଥିବା ପ୍ରକଳ୍ପରେ ଆପଣ ଅଂଶ ଗ୍ରହଣ କରନ୍ତୁ ବା ସ୍କୁଲମାନଙ୍କ ପରାମର୍ଶ ନେଇ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରନ୍ତୁ। ଛାତ୍ରଛାତ୍ରୀମାନଙ୍କର ଶାରୀରିକ ଓ ମାନସିକ ନିରାମୟତା ନିଶ୍ଚିତ କରୁଥିବା ପଦକ୍ଷେପର ପରିକଳ୍ପନା କରି ସେଗୁଡିକୁ କାର୍ଯ୍ୟକାରୀ କରିବାର ଚେଷ୍ଟା କରନ୍ତୁ।
6 / କ୍ରୀଡା
ସ୍କୁଲ ପାଇଁ କ୍ରୀଡା ଭିତ୍ତିଭୂମି ନିର୍ମାଣ ଏବଂ ପିଲାମାନଙ୍କୁ କୋଚିଂ ସହାୟତା ପ୍ରଦାନ ପାଇଁ ଆର୍ଥିକ ସହାୟତା କରନ୍ତୁ, ସମୟ ଦିଅନ୍ତୁ କିମ୍ବା ବିଭିନ୍ନ ଆବଶ୍ୟକୀୟ ଉପକରଣ ଦେଇ ସହାୟତା କରନ୍ତୁ।
7 / ପ୍ରଯୁକ୍ତିଗତ ସହାୟତା
ଛାତ୍ରଛାତ୍ରୀମାନେ ଯେପରି ସାଧାରଣ ଜ୍ଞାନ, ବିଶେଷ ଜ୍ଞାନ, ସାହିତ୍ୟ, ଚିତ୍ରକଳା, ଅଭିନୟ, ନୃତ୍ୟକଳା ଆଦି ଶିଖିପାରିବେ ଏବଂ କୁଶଳୀ ହୋଇପାରିବେ, ସେଥିପାଇଁ ମାନବିକ ଓ ପ୍ରଯୁକ୍ତିଗତ ସହାୟତା ପ୍ରଦାନ କରନ୍ତୁ। ସେମାନେ ଯେପରି ଶିକ୍ଷଣୀୟ ଭ୍ରମଣ କରିପାରିବେ, ବିଭିନ୍ନ ଆଦାନପ୍ରଦାନ କାର୍ଯ୍ୟକ୍ରମ, ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା/ସାହିତ୍ୟ/ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ, ତା’ର ବ୍ୟବସ୍ଥା କରନ୍ତୁ।
8 / ଶିକ୍ଷକ ସହାୟତା
ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଶିକ୍ଷକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ମୋ ସ୍କୁଲ ଅଭିଯାନ ଶିକ୍ଷକମାନଙ୍କର କର୍ମଶାଳା, ସେମିନାର, ସମ୍ମିଳନୀ,
ଅଭିଜ୍ଞତା ଭ୍ରମଣ, ଆଦାନପ୍ରଦାନ କାର୍ଯ୍ୟକ୍ରମ ଓ ପେଶାଦାର ବିକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରେ ।
9 / ପ୍ରକଳ୍ପଭିତ୍ତିକ ଶିକ୍ଷା
ଘୋଷାପାଠ ସଂସ୍କୃତିକୁ ଲୋପ କରିବା ପାଇଁ ଉଦ୍ୟମ କରନ୍ତୁ। ସୃଜନାତ୍ମକ ଚିନ୍ତାଧାରା ଏବଂ ଗବେଷଣା ଭିତ୍ତିକ ସମସ୍ୟା ସମାଧାନ ଲାଗି ସେମାନଙ୍କୁ ଶିକ୍ଷା ଦିଅନ୍ତୁ।
10 / ସ୍ବାବଲମ୍ବୀ ସଂସ୍କୃତିର ବିକାଶ
ଛାତ୍ରଛାତ୍ରୀମାନଙ୍କ ସହିତ ମିଶି ସୃଜନାତ୍ମକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରନ୍ତୁ। ବିଭିନ୍ନ ସାମଗ୍ରୀର ମରାମତି କିପରି ହେବ, ନୂଆ ନୂଆ ସାମଗ୍ରୀ କିପରି ନିର୍ମାଣ କରାଯାଇପାରିବ କିମ୍ବା ସେସବୁର ପରିକଳ୍ପନା କେମିତି କରାଯିବ ତାହା ସେମାନଙ୍କୁ ଶିଖାନ୍ତୁ। ପୋଡାମାଟିର ବିଭିନ୍ନ ପଦାର୍ଥ, କାଠ କାମ, ବିଦ୍ୟୁତ ଉପକରଣ ନିର୍ମାଣ ଇତ୍ୟାଦିର କର୍ମଶାଳା ଆୟୋଜନ କରନ୍ତୁ। ସେମାନଙ୍କୁ ସ୍ବାବଲମ୍ବୀ କରେଇବାର ଚେଷ୍ଟା କରନ୍ତୁ।
11 / ସବୁଜସଂସ୍କୃତି/ପର୍ଯ୍ୟାବରଣ ମୁଖପାତ୍ର
ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାବରଣର ମୁଖପାତ୍ର ହେବା ପାଇଁ ଉତ୍ସାହିତ କରନ୍ତୁ। ଜଳବାୟୁ ପରିବର୍ତ୍ତନ ବିଷୟରେ ସେମାନଙ୍କୁ ଅବଗତ କରାନ୍ତୁ। ସେମାନେ କିପରି ପରିବେଶ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା କରିପାରିବେ ତାହା ସେମାନଙ୍କୁ ଶିଖାନ୍ତୁ। ବୃକ୍ଷ ରୋପଣ ତଥା ଗଛବୃକ୍ଷର ସଂରକ୍ଷଣ ପ୍ରତି ସେମାନଙ୍କର ଆଗ୍ରହ ସୃଷ୍ଟି କରାନ୍ତୁ। ସ୍କୁଲରେ ତଥା ନିଜ ନିଜ ଘରେ ବଗିଚା କେମିତି କରାଯାଇପାରିବ, ସେ ଶିକ୍ଷା ମଧ୍ୟ ଦିଅନ୍ତୁ। ଏସବୁ ଶିକ୍ଷାରୁ ସେମାନେ ପରିବେଶକୁ ଭଲ ପାଇବାକୁ ଶିଖିବେ।
12 / ଉଦ୍ୟୋଗଶୀଳତା
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଦ୍ୟୋଗୀଭାବନାକୁ ପ୍ରୋତ୍ସାହିତ କରନ୍ତୁ। ଶିକ୍ଷାଲାଭ ପରେ ଚାକିରିରେ ନିଯୁକ୍ତ ନହୋଇ ନିଜେ ଯେଭଳି ନିଯୁକ୍ତି ପ୍ରଦାନକାରୀ ହୋଇପାରିବେ, ସେଇ ପରିକଳ୍ପନାକୁ ସେମାନଙ୍କ ମନରେ ସ୍ଥାପନ କରନ୍ତୁ।ନିଜର ପରିକଳ୍ପନା ଗୋଟିଏ ଲାଭଜନକ ବ୍ୟବସାୟରେ ପରିଣତ ହୋଇ ପାରିବ କି ନାହିଁ, ତାହା ବୁଝିବାର କ୍ଷମତା ସେମାନଙ୍କ ଭିତରେ ସୃଷ୍ଟି କରନ୍ତୁ। ତାହାର ଅଧ୍ୟୟନ, ପ୍ରକଳ୍ପ ଡିଜାଇନ, ସମୟସୀମା ନିର୍ଦ୍ଧାରଣ, ପ୍ରକଳ୍ପ ପରିଚାଳନା ଓ ଅଭିବୃଦ୍ଧି, ପାଣ୍ଠି ସଂଗ୍ରହ ଓ ରାଜସ୍ୱ ଆୟ କରିବା ସଂପର୍କରେ ମଧ୍ୟ ସେମାନଙ୍କୁ ଶିକ୍ଷାଦିଅନ୍ତୁ ।