୧୯୦୦ ମସିହା। ପରାଧୀନତାର ବେଡିରେ ସେପର୍ଯ୍ୟନ୍ତ ବାନ୍ଧି ହୋଇ ରହିଥିଲା ଭାରତ। ଏଇଭଳି ଗୋଟିଏ ସମୟରେ ଓଡିଶାର ଭଦ୍ରକ ଜିଲ୍ଲାର ଗୋଟିଏ ଛୋଟ ଗ୍ରାମରେ କେତେ ଜଣ ଗ୍ରାମବାସୀବିଦ୍ୟାଳୟଟିଏ ଆରମ୍ଭ କରିବା କଥା ଚିନ୍ତା କଲେ। ଏଭଳି ଚିନ୍ତାଧାରା ସମସ୍ତ ଗ୍ରାମବାସୀଙ୍କ ମନକୁ ପାଇଯାଇଥିଲା। ଏଥର ସମସ୍ତଙ୍କ ସହଯୋଗରେ ବିଦ୍ୟାଳୟଟିଏ ସ୍ଥାପନ କରାଗଲା। ଗ୍ରାମଟିର ନାଁ ନାମି। ଗ୍ରାମର ନାମ ନେଇ ବିଦ୍ୟାଳୟଟିର ନାମକରଣ କରାଗଲା ନାମି ପ୍ରାଥମିକ ବିଦ୍ୟାଳୟ।
ସମସ୍ତଙ୍କର ସଦିଚ୍ଛାରେ ସ୍ଥାପିତ ବିଦ୍ୟାଳୟଟି ପ୍ରଥମରୁ ହିଁ ବେଶ୍ ଜଣାଶୁଣା ହୋଇପାରିଥିଲା। ୧୯୯୯ ମସିହାରେ ଏହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଣତ ହୋଇଥିଲା। ବହୁ ବର୍ଷ ଧରି କେବଳ ଗ୍ରାମବାସୀଙ୍କ ସହଯୋଗରେ ଚାଲିଥିବା ସ୍କୁଲଟିକୁ ଶେଷରେ ୨୦୦୨ ମସିହାରେ ସରକାରୀ ସ୍ବୀକୃତି ମିଳିଲା।
ଯେତେବେଳେ ୨୦୧୭ ମସିହାରେ‘ମୋ ସ୍କୁଲ ଅଭିଯାନ’ ଆରମ୍ଭ ହେଲା, ସେତେବେଳେ ତତ୍କାଳୀନ ବ୍ଲକ ଶିକ୍ଷା ଅଧିକାରୀ ବ୍ୟକ୍ତିଗତ ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କିଶୋର ସାହୁଙ୍କୁ ଏହି କାର୍ଯ୍ୟକ୍ରମ ପ୍ରତି ଆକର୍ଷିତ କରିଥିଲେ। ସେ ନିଶ୍ଚିତ ଥିଲେ ଯେ ଏହି କାର୍ଯ୍ୟକ୍ରମ ସାହାଯ୍ୟରେ ଲୋକପ୍ରିୟ ପ୍ରଧାନଶିକ୍ଷକବିଦ୍ୟାଳୟର ବିକାଶ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିପାରିବେ। ବ୍ଲକ ଶିକ୍ଷା ଅଧିକାରୀଙ୍କର ବିଶ୍ୱାସ ଅମୂଳକ ନଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ସ୍ଥାନୀୟ ପୁରାତନ ଛାତ୍ରମାନଙ୍କୁ ଏକାଠି କରାଇ କାର୍ଯ୍ୟକ୍ରମ ସମ୍ପର୍କରେ ବିଷଦ୍ ସୂଚନା ଦେଲେ। କାର୍ଯ୍ୟକ୍ରମଟି ସମସ୍ତଙ୍କର ମନକୁ ଛୁଇଁଗଲା। ସେମାନେ ଉତ୍ସାହିତ ଭାବରେ ସହଯୋଗର ହାତ ବଢାଇଦେଲେ। ସେମାନଙ୍କର ଚେଷ୍ଟାରେ ଅନ୍ୟାନ୍ୟ ପୁରାତନ ଛାତ୍ର ସେମାନଙ୍କ ସହିତ ଯୋଗଦାନ କଲେ। ଅଂଶଗ୍ରହଣକାରୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା। କେବଳ ଓଡିଶାରେ ଥିବା ପୁରାତନ ଛାତ୍ର ନୁହଁ, ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ଥିବା ପୁରାତନ ଛାତ୍ରମାନେ ଏଥିରେ ଭାଗ ନେବା ପାଇଁ ସ୍ବେଚ୍ଛାକୃତ ଭାବରେ ଆଗେଇ ଆସିଲେ। ସେମାନଙ୍କର ଉଦାର ଅବଦାନ ଏବଂ ସରକାରଙ୍କ ଅନୁଦାନ ବିଦ୍ୟାଳୟରେ ବଡ ଧରଣର ପରିବର୍ତ୍ତନ ଆଣିଲା। ସ୍କୁଲରେ ପଠନ କକ୍ଷ ବା ରିଡିଙ୍ଗ୍ ରୁମ୍ ସ୍ଥାପିତ କରାଗଲା। ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା ପାଇଁ ସିସିଟିଭି ଲଗାଗଲା। ସ୍ମାର୍ଟ୍ କ୍ଲାସ୍ରୁମ୍ର ପରିକଳ୍ପନା କରାଗଲା।
ସ୍କୁଲ ସହିତ ପୁରାତନ ଛାତ୍ର ତଥା ସମାଜର ସହଯୋଗ ରହିଲେ ବିକାଶ କିଭଳି ତ୍ବରାନ୍ବିତ ହୋଇପାରେ, ତାହାର ପ୍ରକୃଷ୍ଟ ଉଦାହରଣ ନାମି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ‘ମୋ ସ୍କୁଲ ଅଭିଯାନ’ର ଏକ ସଫଳ କାହାଣୀ ଏଇଟି।