ସରକାରୀ ଉଚ୍ଚ ବିଦ୍ୟାଳୟ, ଲେବିଡି : ଶିକ୍ଷାଗ୍ରହଣକୁ ସହଜ କରିଛି ‘ଆଲେକ୍ସା’

ଆମେରିକାର ରାଷ୍ଟ୍ରପତିଙ୍କ ନାମ ହେଉ କି ଆଲୋକଶ୍ଳେଷଣର ପ୍ରକ୍ରିୟା, ପ୍ରଶ୍ନ ପଚାରିବା ମାତ୍ରେ ତାହାର ଉତ୍ତର ସାଙ୍ଗେସାଙ୍ଗେ ମିଳୁଛି। କେବଳ ପାଠପୁସ୍ତକର ପ୍ରଶ୍ନ ନୁହେଁ, ସାଧାରଣ ଜ୍ଞାନରୁ ଆରମ୍ଭ କରି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ, ଛାତ୍ରଛାତ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେଉଛି ଆମାଜନ୍‌ର ଭଏସ୍ ଆସିଷ୍ଟାଣ୍ଟ୍ ‘ଆଲେକ୍ସା’। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍‌ରେ ଥିବା ଲେବିଡି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ହାତପାଆନ୍ତାରେ ଉପଲବ୍ଧ ହୋଇଛି ଏଭଳି ଅତ୍ୟାଧୁନିକ ଟେକ୍ନୋଲୋଜୀ, ଯାହାକି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ‘ମୋ ସ୍କୁଲ୍ ଅଭିଯାନ’ ପାଇଁ ଆଜି ସମ୍ଭବ ହୋଇପାରିଛି। ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ଏଠାରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ ହୋଇନାହିଁ, ବରଂ ସମଗ୍ର ରାଜ୍ୟରେ ଏହି ସ୍କୁଲ୍‌କୁ ଏକ ଶ୍ରେଷ୍ଠ ସ୍କୁଲ୍‌ରେ ପରିଣତ କରିଛି। ତାହା କେବଳ ଜଣେ ନିଜ ଆଖିରେ ଦେଖିଲେ ବିଶ୍ୱାସ କରିପାରିବ।

previous arrow
next arrow
previous arrownext arrow
Slider

ଏକବିଂଶ ଶତାବ୍ଦୀରେ ଡିଜିଟାଲ ଶିକ୍ଷାର ଆବଶ୍ୟକତା ନିତାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି। ଆମ ଭବିଷ୍ୟତ ପିଢିଙ୍କୁ ଏକ ନୂତନ ପୃଥିବୀ ପାଇଁ ପ୍ରସ୍ତୁତ କରିବାକୁ ସେମାନଙ୍କୁ ଏବେଠାରୁ ‘ଟେକ୍‌-ସ୍ୟାଭି’ କରିବାର ଆବଶ୍ୟକତା ରହିଛି। ତେବେ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ଏକ ସରକାରୀ ବିଦ୍ୟାଳୟ ଏହି ଆବଶ୍ୟକତାକୁ ହୃଦୟଙ୍ଗମ କରି ଏବେଠାରୁ ପରିବର୍ତ୍ତନର ମାର୍ଗକୁ ଆପଣାଇ ନେଇଛି। ୧୯୨୨ ମସିହାରେ ସୋହେଲା ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଲେବିଡି ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିକଟରେ ଗୁଣାତ୍ମକ ଶିକ୍ଷା ପହଞ୍ଚାଇବାରେ ସଫଳ ହୋଇଛି। ଏକ ପ୍ରଥାମିକ ବିଦ୍ୟାଳୟ ଭାବରେ ଆରମ୍ଭ ହୋଇଥିବା ଏହି ସ୍କୁଲ୍ ୨୦୦୮ରେ ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ ହୋଇଥିଲା। ସେହି ଦିନଠାରୁ ଜିଲ୍ଲାସ୍ତରରେ ବିଭିନ୍ନ କ୍ଷେତ୍ରରେ ଏହି ସ୍କୁଲ୍ ସୁନାମ ଅର୍ଜନ କରିଛି। ଶିକ୍ଷାଦାନ ବ୍ୟବସ୍ଥାରେ ହେଉ ଅବା କ୍ରୀଡ଼ା ଓ ଅନ୍ୟାନ୍ୟ ପ୍ରତିଯୋଗିତା, ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସବୁକ୍ଷେତ୍ରରେ ସଫଳତା ହାସଲ କରିଛନ୍ତି।

ଏକ ମହତ୍ ଉଦ୍ଦେଶ୍ୟ ନେଇ ଭବିଷ୍ୟତ ଆଡ଼କୁ ଯାଉଥିବା ଲେବିଡି ସରକାରୀ ଉଚ୍ଚ ବିଦ୍ୟାଳୟର କିଛି ନୂଆ କରିବାର ପ୍ରୟାସରେ ଡେଣା ଲଗାଇଛି ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍ ଅଭିଯାନ’। ତତ୍‌କାଳୀନ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ହେମସାଗର ମହାନନ୍ଦ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପି.କେ. ଯୋଶୀଙ୍କ ତତ୍ତ୍ୱାବଧାନରେ ୨୦୧୮ ମସିହାରେ ଏହି ବିଦ୍ୟାଳୟ ‘ମୋ ସ୍କୁଲ୍ ଅଭିଯାନ’ରେ ଅନ୍ତର୍ଭୁକ୍ତ ହୋଇଥିଲା। ତା’ ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିଯାନକୁ ସଫଳ କରିବା ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ସହ ଯୋଡ଼ିଥିଲେ।କେବଳ ଆର୍ଥିକ ସହାୟତା ଲକ୍ଷ୍ୟ ନଥିଲା, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କିଭଳି ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ବ୍ୟବସ୍ଥାକୁ ସହଜ କରିହେବ ସେଥିଲାଗି ସେ ଉପାୟ ମଧ୍ୟ ଲୋଡ଼ିଥିଲେ।ପୁରାତନ ଛାତ୍ରଛାତ୍ରୀଙ୍କ ପରାମର୍ଶ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗକ୍ରମେ ପ୍ରଥମେ ସ୍ମାର୍ଟ କ୍ଲାସ୍‌ରୁମ୍‌, ଇନ୍‌ଭର୍ଟର, ଷ୍ଟାବିଲାଇଜର ଓ ପିଲାମାନଙ୍କ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ କ୍ୟାମ୍ପସରେ ସିସିଟିଭି ଲଗାଯାଇଥିଲା। ଛାତ୍ରୀମାନଙ୍କ ସୁବିଧା ପାଇଁ ବିଦ୍ୟାଳୟ ପରିସରରେ ଏକ ‘ନାପକିନ୍ ଡିସ୍‌ପୋଜାଲ୍ ମେଶିନ୍‌’ ଲଗାଯାଇଥିଲା। ଏହାସହ ଏକ ସାଇକେଲ୍ ଷ୍ଟାଣ୍ଡ୍‌, ସ୍କୁଲ୍ ଗେଟ୍‌, ଶୌଚାଳୟ, ମୋଟର ପମ୍ପ ମରାମତି, ପାଠାଗାର ପାଇଁ ପୁସ୍ତକ ଓ ବଗିଚାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା, ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ କିଣାଯାଇଥିବା ଭଏସ୍ ଆସିଷ୍ଟାଣ୍ଟ୍ ‘ଆଲୋକ୍ସା ଇକୋ ଡଟ୍‌’ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାଦାନ ପ୍ରକ୍ରିୟାକୁ ଆଉ ପାଦେ ଆଗେଇ ନେଇଛି। ଆଲେକ୍ସାର ବ୍ୟବହାର ଶିକ୍ଷାକୁ ଅଧିକ ସରଳ ଏବଂ ଉନ୍ନତ କରିପାରିଛି।ପିଲାମାନେ ଆଗ୍ରହର ସହ ବିଭିନ୍ନ ବିଷୟ ପଚାରି ବୁଝୁଛନ୍ତି ଓ ଅନେକ କିଛି ନୂଆ ଶିଖୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନ ଜରିଆରେ ସ୍କୁଲ୍‌ର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ୩,୯୪,୫୨୫ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ଅନୁଦାନ ୭,୮୯,୦୫୦ ଟଙ୍କାକୁ ମିଶାଇ ମୋଟ ୧୧,୮୩,୫୭୫ ଟଙ୍କାରେ ଉପରୋକ୍ତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଗାମୀ ଭବିଷ୍ୟତରେ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟର ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ କ୍ଲାସରୁମ୍‌ର ବ୍ୟବସ୍ଥା କରିବା, ପାଠାଗାରର ସମ୍ପ୍ରସାରଣ, ବର୍ତ୍ତମାନ ଥିବା ସ୍ମାର୍ଟ କ୍ଲାସରୁମ୍‌କୁ ଅତ୍ୟାଧୁନିକ ରୂପ ଦେବାକୁ ଯୋଜନା ରହିଛି।

ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ନିକଟରେ ଏହି ସ୍କୁଲ୍ ପରିଦର୍ଶନରେ ଯାଇ ଶିକ୍ଷକ ଓ ପୁରାତନ ଛାତ୍ରଛାତ୍ରୀଙ୍କ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିଥିଲେ। ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ସ୍କୁଲ୍‌ର ଭିତ୍ତିଭୂମି ଉନ୍ନତ ହୋଇଥିବା ଏବଂ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନକୁ ସେ ପ୍ରଶଂସା କରିଥିଲେ।

ବିଦ୍ୟାଳୟର ଉନ୍ନତି ଦିଗରେ ପୁରାତନ ଛାତ୍ରଛାତ୍ରୀଙ୍କ ଉତ୍ସର୍ଗୀକୃତ ମନୋଭାବ ପ୍ରକଳ୍ପର କାର୍ଯ୍ୟକାରିତାକୁ ଏହି ସ୍କୁଲ୍‌ରେ ସଫଳ କରିଛି।କାର୍ଯ୍ୟକ୍ରମର ସ୍ୱଚ୍ଛ ରୂପାୟନ ଦିଗରେ ମଧ୍ୟ ସେମାନେ ତଦାରଖ କରୁଛନ୍ତି। ଏହାଛଡା ବିଦ୍ୟାଳୟର ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ‘ମୋ ସ୍କୁଲ୍‌’କୁ ସଫଳ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦେଇଛନ୍ତି। ଆଗକୁ ବାକି ଥିବା ସମସ୍ତ କାର୍ଯ୍ୟର ସଫଳ ରୂପାୟନ ଦିଗରେ ସେମାନଙ୍କ ସହାୟତା ନିତାନ୍ତ କାମ୍ୟ ବୋଲି ସ୍କୁଲ୍‌ର ପ୍ରଧାନଶିକ୍ଷକ କହିଛନ୍ତି।