ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଏଁଲାସରୀ: ସାମାଜିକ ଅଂଶଗ୍ରହଣର ଏକ ଉତ୍କୃଷ୍ଟ ଉଦାହରଣ

ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକରେ ଅଏଁଲାସରୀ ନାମକ ଏକ ଛୋଟ ଗାଁ ଅଛି। ଏଠାକାର ଅଧିକାଂଶ ଗ୍ରାମବାସୀ ଜୀବିକା ପାଇଁ ଦୈନିକ ମଜୁରୀ ଏବଂ ଚାଷ ଉପରେ ନିର୍ଭର କରନ୍ତି। ଏହା ସତ୍ତ୍ୱେ ମଧ୍ୟ ସେମାନେ ଶିକ୍ଷାର ମୂଲ୍ୟ ବୁଝନ୍ତିଏବଂ ଏହାକୁ ଯଥେଷ୍ଟ ମହତ୍ତ୍ୱ ଦିଅନ୍ତି। ତେଣୁ ଏକମତ ହୋଇ ସେମାନେ ୧୯୫୯ ମସିହାରେ ଏଠାରେ ଏକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ପ୍ରଥମରୁ ଏହା ସହିତ ଜଡିତ ହୋଇଯାଇଥିଲେ ଗ୍ରାମ କମିଟି, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଏବଂ ଶିକ୍ଷକମାନେ। ବିଦ୍ୟାଳୟର ବିକାଶମୂଳକ କାର୍ଯ୍ୟ କିପରି ହୋଇପାରିବ, ତାହା ନେଇ ସବୁବେଳେ ଆଲୋଚନା ମଧ୍ୟ କରୁଥିଲେ।

କହିବା ବାହୁଲ୍ୟ, ‘ମୋ ସ୍କୁଲ ଅଭିଯାନ’ସମସ୍ତଙ୍କ ମନରେ ଆନନ୍ଦ ଖେଳାଇ ଦେଇଥିଲା। ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଆରମ୍ଭ ହେବାର କିଛି ମାସ ଭିତରେ ବିଦ୍ୟାଳୟରେ ଏକ ସମ୍ବେଦନଶୀଳ ବୈଠକ ଆୟୋଜିତ ହୋଇଥିଲା।ଏଥିରେ ୨୦୦ରୁ ଉର୍ଦ୍ଧ୍ବ ଅଭିଭାବକ ଓ ଗ୍ରାମବାସୀ ଯୋଗ ଦେଇଥିଲେ। ଥରେ କାର୍ଯ୍ୟକ୍ରମର ମହତ୍ତ୍ୱ ବୁଝିବା ପରେ,ସେମାନେ ସର୍ବସମ୍ମତି କ୍ରମେ ଏଥି ସହିତ ନିୟୋଜିତ ହେବାକୁ ସ୍ଥିର କଲେ।

ବିଦ୍ୟାଳୟ ପାଇଁ ଏକ ଖେଳ ପଡ଼ିଆ କରିବାକୁ ସେମାନେ ପ୍ରଥମ ପ୍ରକଳ୍ପ ଭାବରେ ଗ୍ରହଣ କରିଥିଲେ। ପାଣ୍ଠି ଅଭାବରୁ ବିଦ୍ୟାଳୟରେ ଆରମ୍ଭରୁ ଖେଳ ପଡିଆଟିଏ ନଥିଲା । ବର୍ତ୍ତମାନ ପୁରାତନ ଛାତ୍ରଙ୍କ ଆର୍ଥିକ ସାହାଯ୍ୟ ଏବଂ ‘ମୋ ସ୍କୁଲ’ର ଅନୁଦାନ ଏକାଠି କରିଭଲ ଖେଳ ପଡ଼ିଆ ସୃଷ୍ଟି ପାଇଁ ପର୍ଯ୍ୟାପ୍ତ ଅର୍ଥ ଉପଲବ୍ଧ ହୋଇପାରିଲା। ଏଥର ଉତ୍ସାହିତ ହୋଇ ସମସ୍ତେ କାର୍ଯ୍ୟ ଆରମ୍ଭ କରିଦେଲେ।କିଛି ଦିନ ମଧ୍ୟରେ ଅସମାନ ଭୂମିସମାନ କରାହେଲା ଏବଂ ଏକ ଉପଯୁକ୍ତ ଖେଳ ପଡିଆ ସୃଷ୍ଟି କରାଗଲା।

ଏହା ପୁରାତନ ଛାତ୍ରମାନଙ୍କୁ ଆହୁରି ଆକର୍ଷିତ କରିଥିଲା। ସେମାନେ ବର୍ତ୍ତମାନ ଛୁଟିଦିନରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅତିରିକ୍ତ କ୍ଲାସ୍ ନିଅନ୍ତି। ସେମାନଙ୍କ ମଧ୍ୟରୁ କେତେକ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇବାରେ ସାହାଯ୍ୟ କରନ୍ତି। ଶିକ୍ଷକ,ପୁରାତନ ଛାତ୍ର ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଏଭଳି ଦାୟିତ୍ବସମ୍ପନ୍ନ ସହଯୋଗ ବିଦ୍ୟାଳୟର ବାତାବରଣକୁ ବଦଳାଇ ଦେଇ ପାରିଛି। ପିଲାମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଣିବା ଏବଂ ସେମାନଙ୍କୁ ବିଶ୍ଵର ଉନ୍ନତ ନାଗରିକ କରିବା ପାଇଁ ସମସ୍ତଙ୍କ ସମାନ ସ୍ୱପ୍ନ ଏହାକୁ  ସମ୍ଭବ କରିଛି।

top