ସତ୍ୟାନନ୍ଦ ଉଚ୍ଚ ବିଦ୍ୟାଳୟ, ସୋରୋ : ବଦଳିଛି ‘ପାଠାଗାର’ର ରୂପ

ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସୋରୋ ବ୍ଲକ୍‌ରେ ରହିଛି ସତ୍ୟାନନ୍ଦ ଉଚ୍ଚ ବିଦ୍ୟାଳୟ । ଶ୍ରୀ ନନ୍ଦକିଶୋର ଦାସ ଏବଂ ଶ୍ରୀ ନୀଳାମ୍ବର ଦାସଙ୍କ ପ୍ରଚେଷ୍ଟାରେ୧୯୩୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ପାଇଁ ଶ୍ରୀ ଉପେନ୍ଦ୍ରନାଥ ପ୍ରଧାନ ନିଜ ଜମି ଦାନ କରିଥିଲେ । ପରବର୍ତ୍ତୀ ସମୟରେ ଅବେଳରେ ପ୍ରାଣ ହରାଇଥିବା ତାଙ୍କ ପୁଅ ଶ୍ରୀ ସତ୍ୟାନନ୍ଦ ପ୍ରଧାନଙ୍କ ନାମରେ ଏହି ବିଦ୍ୟାଳୟକୁ ନାମିତ କରାଯାଇଥିଲା । ସୋରୋ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଏହି ସ୍କୁଲ୍‌ରେ ୬ଷ୍ଠରୁ ୧୦ମ ପର୍ଯ୍ୟନ୍ତ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ପ୍ରତିଷ୍ଠା ସମୟରେ ଏହା ଏକ ମଧ୍ୟ-ଇଂରାଜୀ ବିଦ୍ୟାଳୟ ଭାବେ ଆରମ୍ଭ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ସ୍କୁଲ୍‌କୁ ଉଚ୍ଚ ବିଦ୍ୟାଳୟର ମାନ୍ୟତା ମିଳିଲା । ଛାତ୍ରଛାତ୍ରୀମାନେ ଏଠାରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଲାଭ କରିବାର ସୁଯୋଗ ପାଇଲେ ।

୨୦୧୮ ମସିହା ଜୁଲାଇ ମାସରେ ଏହି ସ୍କୁଲ୍ ‘ମୋ ସ୍କୁଲ୍ ଅଭିଯାନ’ରେ ଅନ୍ତର୍ଭୁକ୍ତ ହୋଇଥିଲା । ବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଅମୂଲ୍ୟ ଚନ୍ଦ୍ର ବେହେରା ଏବଂ ପୂର୍ବାସା ମହାନ୍ତିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ଏହି ଅଭିନବ ଅଭିଯାନ ସତ୍ୟାନନ୍ଦ ଉଚ୍ଚ ବିଦ୍ୟାଳୟରେ ଏବେ ଏକ ସଫଳ ଅଭିଯାନରେ ପରିଣତ ହୋଇପାରିଛି । ସ୍କୁଲ୍‌ର ଶିକ୍ଷକମାନେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ବ୍ୟକ୍ତିଗତଭାବେ ଯୋଗାଯୋଗ କରି ଏହି ଅଭିଯାନ ସମ୍ପର୍କରେ ଅବଗତ କରୁଛନ୍ତି, ଯାହାଫଳରେ ଶତାଧିକ ଛାତ୍ରଛାତ୍ର ନିଜ ପଢିଥିବା ବିଦ୍ୟାଳୟ ସହ ଏବେ ଯୋଡ଼ି ହୋଇପାରିଛନ୍ତି ଓ ବିଦ୍ୟାଳୟର ବିକାଶ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରୁଛନ୍ତି । ଶ୍ରୀ ଅଶୋକ କୁମାର ମହାନ୍ତି, ଶ୍ରୀ ମିହିର କୁମାର ଦାସ ଓ ପୂର୍ବାସା ମହାନ୍ତିଙ୍କ ଭଳି କିଛି ପୁରାତନ ଛାତ୍ର ମୁକ୍ତହସ୍ତରେ ଆର୍ଥିକ ସହଯୋଗ ଯୋଗାଇ ଦେଇଛନ୍ତି । ଏହି ସ୍କୁଲ୍‌ରେ ପଢି ନଥିଲେ ମଧ୍ୟ ଡ. ସୁପ୍ରଭା ଦାସ ଓ ଜି. ଡି. ନାୟକଙ୍କ ଭଳି ସହୃଦୟ ବ୍ୟକ୍ତିବିଶେଷ ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

previous arrow
next arrow
Slider

‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ସତ୍ୟାନନ୍ଦ ହାଇସ୍କୁଲ୍‌କୁ ୫,୪୪,୭୦୦ ଟଙ୍କାର ଆର୍ଥିକ ଅନୁଦାନ ମିଳିଥିବା ବେଳେ ରାଜ୍ୟ ସରକାରଙ୍କ ଦୁଇଗୁଣା ଅନୁଦାନକୁ ମିଶାଇ ମୋଟ ୧୬,୩୪,୧୦୦ ଟଙ୍କାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । ପୂର୍ବରୁ ପିଲାଙ୍କ ବସିବା ପାଇଁ ବେଞ୍ଚ ଡେସ୍କ ସୁବିଧା ନ ଥିବାରୁ ‘ମୋ ସ୍କୁଲ୍ ଅଭିଯାନ’ ଦ୍ୱାରା ସଂଗୃହୀତ ଅର୍ଥରେ ସମସ୍ତ ଆସବାବପତ୍ର କିଣାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା, ବିଦ୍ୟାଳୟରେ ଦୃଷ୍ଟି ଆକର୍ଷଣ କରୁଥିବା ଏହାର ପାଠାଗାର ‘ମୋ ସ୍କୁଲ୍ ଅଭିଯାନ’ ପ୍ରଚେଷ୍ଟାରେ ଆଜି ନିର୍ମାଣ ହୋଇପାରିଛି । ଏହି ସ୍ମାର୍ଟ ଲାଇବ୍ରେରୀ ନିର୍ମାଣ ପାଇଁ ଶ୍ରୀ ଗୟାଧର ନାୟକ ନାମକ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି । ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଏହି ସ୍ମାର୍ଟ ଲାଇବ୍ରେରୀରେ ପିଲାମାନେ ବସି ପଢିବା ପାଇଁ ଏକ ସ୍ୱତନ୍ତ୍ର ରିଡିଂ କର୍ଣ୍ଣର କରାଯାଇଛି, ଯେଉଁଠାରେ ପିଲାମାନଙ୍କ ପଢିବା ପାଇଁ ସ୍ୱତନ୍ତ୍ର ପତ୍ରପତ୍ରିକା ଏବଂ ଖବରକାଗଜ ରହିଛି । ଆରାମରେ ବସିବା ପାଇଁ ଟେବୁଲ୍‌, ଚେୟାରର ବ୍ୟବସ୍ଥା କରାଯିବା ସହ ପାଠାଗାରକୁ ସମ୍ପୂର୍ଣ୍ଣଭାବେ ଶୀତତାପ ନିୟନ୍ତ୍ରିତ ଏବଂ ଉଜ୍ଜ୍ୱଳ ଆଲୋକିତ କରାଯାଇଛି । ଆଗାମୀ ଦିନରେ ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ଏଠାରେ ସ୍ମାର୍ଟ କ୍ଲାସରୁମ୍ ଏବଂ ସାଇନ୍ସ ଲ୍ୟାବ୍ ତିଆରି କରିବାକୁ ସ୍କୁଲ୍ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି ।

‘ମୋ ସ୍କୁଲ୍ ଅଭିଯାନ’କୁ ସରକାରଙ୍କର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ପ୍ରଧାନଶିକ୍ଷକ ଶ୍ରୀ ସୁଖଦେବ ନାୟକ । ଏହି ଅଭିଯାନରେ ପ୍ରଭାବିତ ହୋଇ ପୁରାତନ ଛାତ୍ରଛାତ୍ରୀମାନେ ସହଯୋଗର ହାତ ବଢାଇଥିବାରୁ ବିଦ୍ୟାଳୟର ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିଛି । ‘ମୋ ସ୍କୁଲ୍‌’ କାର୍ଯ୍ୟକ୍ରମରେ ସ୍ମାର୍ଟ ଲାଇବ୍ରେରୀ ପ୍ରତିଷ୍ଠା ହୋଇପାରିଥିବାରୁ ଛାତ୍ରଛାତ୍ରୀମାନଙ୍କୁ ପଢିବା ପାଇଁ ବିଶେଷ ସୁବିଧା ହେଉଛି ବୋଲି ସେ କହିଛନ୍ତି । ଆଗକୁ ସ୍ମାର୍ଟ କ୍ଲାସ୍‌ରୁମ୍ ତିଆରି ହେଲେ ଆମେମାନେ ଅଧିକ ଉପକୃତ ହେବୁ ବୋଲି ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ କହିଛନ୍ତି ।