ମହାଲିଙ୍ଗ ଉଚ୍ଚ ବିଦ୍ୟାଳୟ, କଳାହାଣ୍ଡି : ୫୦ ଲକ୍ଷର ଆର୍ଥିକ ସହାୟତା ସହ ରାଜ୍ୟରେ ପ୍ରଥମ

ବଣ ପାହାଡ ଘେରା଼ କଳାହାଣ୍ଡି ଜିଲ୍ଲାର ସଦର ମହକୁମାଠାରୁ ୬୦ କିଲୋମିଟର ଦୂରରେ ଅଛି ମହାଲିଙ୍ଗ ଉଚ୍ଚ ବିଦ୍ୟାଳୟ। ଗୋଲମୁଣ୍ଡା ବ୍ଲକ୍‌ରେ ଶିକ୍ଷାର ବିକାଶ ପାଇଁ ୧୯୮୦ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ଆଜି ସ୍ଥାନୀୟ ଅଞ୍ଚଳରେ ଏକ ଆଦର୍ଶ ବିଦ୍ୟାଳୟ ଭାବରେ ପରିଗଣିତ ହେଉଛି। ସ୍ଥାନୀୟ ଅଞ୍ଚଳର ଅଧିକାଂଶ ଅଧିବାସୀ କୃୃଷି ଉପରେ ନିର୍ଭର କରନ୍ତି। ଶ୍ରୀ ଛବିରାଜ ସାହୁ ନାମକ ଜଣେ ଚାଷୀଙ୍କ ପ୍ରଚେଷ୍ଟାରେ ଏହି ବିଦ୍ୟାଳୟଟି ଆରମ୍ଭ ହୋଇଥିଲା। ପ୍ରଥମେ ଏଠାରେ କେବଳ ୮ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ହେଉଥିଲା। ପରବର୍ତ୍ତୀ ସମୟରେ ୬ଷ୍ଠ ଓ ୭ମ ଶ୍ରେଣୀ ମଧ୍ୟ ଯୋଡ଼ି ହୋଇଗଲା। ଏବେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪୦୮। ଏମାନଙ୍କୁ ୧୦ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିଲେ ମଧ୍ୟ ଏହି ବିଦ୍ୟାଳୟ ‘ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ଏକ ଶ୍ରେଷ୍ଠ ବିଦ୍ୟାଳୟରେ ପରିଣତ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ବର୍ତ୍ତମାନ ସୁଦ୍ଧା ‘ମୋ ସ୍କୁଲ୍ ଅଭିଯାନ’ରେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ବିଦ୍ୟାଳୟ ମଧ୍ୟରୁ ଏହି ବିଦ୍ୟାଳୟକୁ ସର୍ବାଧିକ ଆର୍ଥିକ ଅନୁଦାନ ମିଳିଛି। ୫୦ ଲକ୍ଷ ୫୭ହଜାର ଟଙ୍କାର ଆର୍ଥିକ ସହାୟତା ସହ ମହାଲିଙ୍ଗ ଉଚ୍ଚ ବିଦ୍ୟାଳୟ ‘ମୋ ସ୍କୁଲ୍ ଅଭିଯାନ’ର ଏକ ସଫଳ ନିଦର୍ଶନ ଭାବେ ଉଭା ହୋଇଛି। ପୁରାତନ ଛାତ୍ରଛାତ୍ରୀଙ୍କ ସହାୟତା ରାଶି ସହ ରାଜ୍ୟ ସରକାରଙ୍କ ଦୁଇଗୁଣ ଆର୍ଥିକ ଅନୁଦାନକୁ ମିଶାଇ ମୋଟ ୧ କୋଟି ୫୧ ଲକ୍ଷ ୭୨ ହଜାର ଟଙ୍କାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବାକୁ ଯୋଜନା ହୋଇଛି।

ପୁରାତନ ଛାତ୍ରଛାତ୍ରୀଙ୍କୁ ଏକାଠି କରି ଅଭିଯାନକୁ ସଫଳ କରିବାରେ ବିଦ୍ୟାଳୟର ତତ୍‌କାଳୀନ ପ୍ରଧାନଶିକ୍ଷକ ଶ୍ରୀ ପ୍ରମୋଦ କୁମାର ପଣ୍ଡା ଏବଂ ବର୍ତ୍ତମାନର ପ୍ରଧାନଶିକ୍ଷକ ଶ୍ରୀ ରାଜେଶ ନାୟକଙ୍କର ପ୍ରମୁଖ ଭୂମିକା ରହିଛି। ସ୍ଥାନୀୟ ଅଞ୍ଚଳର ଏକମାତ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ହୋଇଥିବାରୁ ବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତେ ତତ୍ପରତା ପ୍ରକାଶ କରିଛନ୍ତି। କେବଳ ପୁରାତନ ଛାତ୍ରଛାତ୍ରୀ ପୁହଁନ୍ତି, ସ୍ଥାନୀୟ ବାସିନ୍ଦା ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ସମସ୍ତ ସହଯୋଗ ଯୋଗାଇ ଦେଇଛନ୍ତି। ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ପାଇଁ ଡେସ୍କ, ବେଞ୍ଚ, ଟେବୁଲ୍ ଆଦି କିଣାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲ୍ ଫାଟକ, ପାଚିରି ଏବଂ ଶୌଚାଳୟ ତିଆରି କାର୍ଯ୍ୟ ଚାଲିଛି। ପୂର୍ବରୁ ସ୍କୁଲ୍‌ର ଖେଳପଡିଆ ଅବହେଳିତ ଅବସ୍ଥାରେ ପଡିରହିଥିଲା। ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ ଏବେ ଉକ୍ତ ଖେଳପଡ଼ିଆକୁ ଅତ୍ୟାଧୁନିକ ରୂପ ଦିଆଯାଉଛି। ଯୋଜନାର ଆଗାମୀ ପର୍ଯ୍ୟାୟରେ ଶ୍ରେଣୀଗୃହଗୁଡିକର ନବୀକରଣ, ବୈଦ୍ୟୁତିକ ସରଞ୍ଜାମ, ଛାତ୍ରୀମାନଙ୍କ ପାଇଁ ଶୌଚାଳୟ, ନୂତନ ଶ୍ରେଣୀଗୃହ ନିର୍ମାଣ, କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ ବ୍ୟବସ୍ଥା, ପାଥ୍‌ୱେ ନିର୍ମାଣ, ରୋଷେଇ ସରଞ୍ଜାମ କ୍ରୟ ଓ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିବାକୁ ଲକ୍ଷ୍ୟରହିଛି। ଏହାସହ ମିଳିଥିବା ଅର୍ଥରେ ବିଦ୍ୟାଳୟ ଜଗିବା ପାଇଁ ଜଣେ ସୁରକ୍ଷାକର୍ମୀ ଓ କ୍ୟାମ୍ପସକୁ ସଫାସୁତୁରା ରଖିବା ପାଇଁ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ କରିବାକୁ ଯୋଜନା ହୋଇଛି।

ସ୍କୁଲ୍‌ର ପୁରାତନ ଛାତ୍ର ତଥା ସ୍ଥାନୀୟ ଅଞ୍ଚଳରେ ଥିବା ମହାଲିଙ୍ଗ ଡିଗ୍ରୀ ସାଇନ୍ସ କଲେଜର ପ୍ରତିଷ୍ଠାତା ଶ୍ରୀ ଗୋବିନ୍ଦ ସାହୁ ଏବଂ ଶ୍ରୀ ନିଧି ପଟେଲ ନାମକ ଜଣେ ଜଣାଶୁଣା ବ୍ୟକ୍ତି ଏହି ଅଭିଯାନକୁ ଆଗେଇ ନେବାରେ ସମସ୍ତ ପ୍ରକାର ସହଯୋଗ କରିଛନ୍ତି। ଶ୍ରୀ ସାହୁ ବିଦ୍ୟାଳୟକୁ ସର୍ବାଧିକ ୫ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ଏହାସହ ସ୍କୁଲ୍‌ର ବିଭିନ୍ନ ଅଭାବ ଅସୁବିଧାକୁ କିପରି ଦୂର କରାଯିବ ତାହା ନେଇ ମଧ୍ୟ ସେ ସର୍ବଦା ଆଲୋଚନା କରିଥାନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରାଜେଶ ନାୟକ କହିଛନ୍ତି, “ଆମେ ଆନନ୍ଦିତ ଯେ ଆମ ବିଦ୍ୟାଳୟକୁ ପୁରାତନ ଛାତ୍ରଛାତ୍ରୀଙ୍କ ଠାରୁ ଓଡିଶାରେ ସର୍ବାଧିକ ଅନୁଦାନ ମିଳିଛି।  ବିଦ୍ୟାଳୟରେ ଏକ ଉତ୍ତମ ଶିକ୍ଷାର ବାତାବରଣ ସୃଷ୍ଟି ହୋଇପାରିଛି। ଜଣେ ପୁରାତନ ଛାତ୍ର କହିଛନ୍ତି, “ମହାଲିଙ୍ଗ ଉଚ୍ଚ ବିଦ୍ୟାଳୟ କେବଳ ଗ୍ରାମ, ଗ୍ରାମ ପଞ୍ଚାୟତ, ବ୍ଲକ୍ କିମ୍ବା ଜିଲ୍ଲାରେ ନୁହଁ, ସମସ୍ତ ରାଜ୍ୟରେ ଏହା ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବରେ ଯେ ଦିନେ ଗଣା ହେବ, ତାହା  ଆମର ସ୍ୱପ୍ନ।“