ମଲ୍ଲୀଲତା ଦାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ : ‘ମୋ ସ୍କୁଲ୍ ଅଭିଯାନ’ର ସୁଯୋଗ, ପୁରାତନ ଛାତ୍ରଛାତ୍ରୀଙ୍କ ଉଦ୍ୟମ

ଶ୍ରୀ ବଟକୃଷ୍ଣ ଦାସ ନାମକ ଜଣେ ବଦାନ୍ୟ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ସୁଭାଡିଆ ଗ୍ରାମରେ ପ୍ରତିଷ୍ଠା ହୋଇଥିଲା ମଲ୍ଲୀଲତା ଦାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ୧୯୭୧ ମସିହାରେ ସେ ଏହି ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏଥିପାଇଁ ସେ ନିଜର ଜମି ପ୍ରଦାନ କରିବା ସହ ସମସ୍ତ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ । ଶ୍ରୀ ଦାସଙ୍କର ମା’ ଶ୍ରୀମତୀ ମଲ୍ଲୀଲତା ଦାସଙ୍କ ନାମରେ ବିଦ୍ୟାଳୟର ନାମକରଣ କରାଯାଇଛି । ଏକ ଆଭ୍ୟନ୍ତରୀଣ ଅଞ୍ଚଳରେ ରହିଥିଲେ ବି ଏହି ବିଦ୍ୟାଳୟ ଅନେକ ଶିକ୍ଷକ, ଡାକ୍ତର, ଇଞ୍ଜିନିୟର ଓ ବ୍ୟବସାୟୀଙ୍କୁ ଗଢିତୋଳିଛି । ଇଂ ଚୈତନ୍ୟ ପ୍ରସାଦ ସାହୁ, ଡାକ୍ତର ଶୁଭଜିତ ରାଉଳ, ଶ୍ରୀ ଜୟନ୍ତ କୁମାର ସାହୁ, ଇଂ ହିମାରାଣୀ ବଳ, ଶ୍ରୀମତୀ ଶଶୀରେଖା ବଳ, ଶ୍ରୀ ସଞ୍ଜିତ ଦାସଙ୍କ ଭଳି ଅନେକ ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ମଲ୍ଲୀଲତା ଦାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଶେଷ ନାମ ରହିଛି । ବର୍ତ୍ତମାନ ଏହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୪୮ ରହିଛି । ପିଲାମାନଙ୍କୁ ପଢାଇବାକୁ ମୋଟ ୧୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି । ତେବେ ସ୍ଥାନୀୟ ଅଞ୍ଚଳର ବହୁ ଆର୍ଥିକ ଅନଗ୍ରସର ପିଲାଙ୍କୁ ଶିକ୍ଷାଦାନ କରିବାରେ ଏହି ବିଦ୍ୟାଳୟ ମୁଖ୍ୟ ଭୂମିକା ଗ୍ରହଣ କରିଛି, ଯେଉଁଥିପାଇଁ ଏହି ବିଦ୍ୟାଳୟରେ ପଢିଥିବା ପୁରାତନ ଛାତ୍ରଛାତ୍ରୀମାନେ ଆଜି ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ନିଜ ବିଦ୍ୟାଳୟର ବିକାଶ ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ଆଗେଇ ଆସିଛନ୍ତି ।

୧୯୭୩ରେ ସରକାରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ଏହି ବିଦ୍ୟାଳୟ ୨୦୧୮ ଜୁଲାଇରେ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ୍ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଲକ୍ଷ୍ମୀଧର ରାଉଳ ଏଥିପାଇଁ ନେତୃତ୍ୱ ନେଇଥିଲେ । ଅଭିଯାନ ସମ୍ପର୍କରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ପାଇଁ ସେମାନଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା । ପୂର୍ବରୁ ବିଦ୍ୟାଳୟର ସୁବିଧା ଅସୁବିଧାରେ ଛିଡା ହେଉଥିବା ଛାତ୍ରଛାତ୍ରୀମାନେ ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟରେ ସହଯୋଗ କରିବାକୁ ଆଗେଇ ଆସିଥିଲେ । ତା’ପରଠାରୁ ଏହି ସ୍କୁଲ୍‌ରେ ଏକ ନୂତନ ଯୁଗର ଆରମ୍ଭ ହୋଇଥିଲା ।

‘ମୋ ସ୍କୁଲ୍ ଅଭିଯାନ’ ଜରିଆରେ ବିଦ୍ୟାଳୟରେ ୫ଟି ପର୍ଯ୍ୟାୟରେ ଉନ୍ନତିମୂଳକ କାର୍ଯ୍ୟ ସମ୍ପାଦିତ ହୋଇଛି । ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ମିଳିଥିବା ୬,୯୩,୮୦୦ ଟଙ୍କା ଏବଂ ରାଜ୍ୟ ସରକାରଙ୍କର ଦୁଇଗୁଣା ଆର୍ଥିକ ଅନୁଦାନକୁ ମିଶାଇ ମୋଟ ୨୦,୮୧,୪୦୦ ଟଙ୍କାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପାଠାଗାର ଏବଂ ଅତ୍ୟାଧୁନିକ ବିଜ୍ଞାନାଗାର ତିଆରି କରାଯାଇଛି । ପୂର୍ବରୁ ସ୍କୁଲ୍ ଚାରିପଟେ ପାଚିରି ନ ଥିବାରୁ ପିଲାଙ୍କ ସୁରକ୍ଷାକୁ ନେଇ କର୍ତ୍ତୃପକ୍ଷ ଚିନ୍ତାରେ ରହୁଥିଲେ । ତେଣୁ ଦ୍ୱିତୀୟ ପର୍ଯ୍ୟାୟରେ ମିଳିଥିବା ଅର୍ଥରେ ପ୍ରଥମେ ବିଦ୍ୟାଳୟ ଚାରିପଟେ ପାଚିରି ନିର୍ମାଣ କରାଯାଇଥିଲା । ବିଦ୍ୟାଳୟର ବିକାଶ ଅଭିଯାନ ଏଠାରେ ବନ୍ଦ ହୋଇ ନଥିଲା । ତୃତୀୟ ପର୍ଯ୍ୟାୟରେ ଏକ ସୁନ୍ଦର ବଗିଚା ଏବଂ ଚତୁର୍ଥ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ କ୍ଷେତ୍ରରେ ଦକ୍ଷ କରିବାକୁ ଏକ କମ୍ପ୍ୟୁଟର ଲ୍ୟାବ୍ ତିଆରି କରାଯାଇଥିଲା । ସେହିପରି ୫ମ ପର୍ଯ୍ୟାୟରେ ପିଲାମାନଙ୍କ ପାଇଁ କମ୍ପ୍ୟୁଟର କିଣାଯିବା ସହ କ୍ୟାମ୍ପସ୍ ପରିସରରେ ଷ୍ଟିଲ୍‌ରେ ନିର୍ମିତ ଗ୍ରୀଲ୍‌, ଏକ ୱାଟର ଫାଉଣ୍ଟେନ୍ ଏବଂ ମୁଖ୍ୟ ଫାଟକ ନିର୍ମାଣ କରାଯାଇଛି । ବିଦ୍ୟାଳୟର ପୁରାତନ ଛାତ୍ର ତଥା ଇଞ୍ଜନିୟର ଶ୍ରୀ ଚୈତନ୍ୟ ପ୍ରସାଦ ସାହୁ ବିଦ୍ୟାଳୟର ଉନ୍ନତି ପାଇଁ ସର୍ବାଧିକ ୩ ଲକ୍ଷ ୬୨ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । କେବଳ ଆର୍ଥିକ ସହାୟତା ନୁହେଁ, ଏହି ସ୍କୁଲ୍‌ର ପୁରାତନ ଛାତ୍ରଛାତ୍ରୀମାନେ ସମୟ କାଢି ନିଜେ ସ୍କୁଲ୍ କଥା ବୁଝୁଛନ୍ତି । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ତଦାରଖ କରୁଛନ୍ତି । ପିଲାମାନଙ୍କ ପରୀକ୍ଷା ଫଳ କିଭଳି ଅଧିକ ଭଲ ହୋଇପାରିବ ଏବଂ ଜିଲ୍ଲା ଓ ରାଜ୍ୟସ୍ତରରେ ଯେପରି ଏହି ବିଦ୍ୟାଳୟର ସୁନାମ ରହିବ ସେଥିପାଥଁ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ଶ୍ରୀମତୀ ସୁଜାତା ବିଶ୍ୱାଳ ନାମକ ଜଣେ ପୁରାତନ ଛାତ୍ରୀ ସ୍ୱେଚ୍ଛାକୃତ ଭାବରେ ଆସି ପିଲାମାନଙ୍କୁ ବିଭିନ୍ନ ବିଷୟ ପଢାଉଛନ୍ତି । ପୁରାତନ ଛାତ୍ର ଶ୍ରୀ ମିଟୁନ୍ ଦାସ ସ୍ୱେଚ୍ଛାକୃତ ଭାବରେ ବିଦ୍ୟାଳୟର ସମସ୍ତ ବୈଦ୍ୟୁତିକ କାମ କରୁଥିବା ବେଳେ, ଶ୍ରୀ ବୁଦ୍ଧଦେବ ସୂତାର କାଠ କାମ ଏବଂ ଶ୍ରୀ ପରମେଶ୍ୱର କରଣ ବଗିଚା କାମରେ ସହଯୋଗ ପ୍ରଦାନ କରୁଛନ୍ତି ।

‘ମୋ ସ୍କୁଲ୍ ଅଭିଯାନ’ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ସୁଚିନ୍ତିତ ପଦକ୍ଷେପ । ଏଥିରେ ରାଜ୍ୟରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିବା ଅବଶ୍ୟମ୍ଭାବୀ ବୋଲି ବିଦ୍ୟାଳୟର ବର୍ତ୍ତମାନ ପ୍ରଧାନଶିକ୍ଷକ ଶ୍ରୀ ବିଜୟ କୁମାର ନାୟକ ମତପ୍ରକାଶ କରିଛନ୍ତି । ‘ମୋ ସ୍କୁଲ୍ ଅଭିଯାନ’ ଆଜି ଆମକୁ ଆମ ବିଦ୍ୟାଳୟ ସହ ଯୋଡ଼ିପାରିଛି । ଆମକୁ ଗଢିଥିବା ଶିକ୍ଷାନୁଷ୍ଠାନ ପାଇଁ କିଛି କରିବାର ସୁଯୋଗ ଆମକୁ ମିଳୁଛି ଏବଂ ଆମ ପିଲାଦିନର ସ୍ମୃତିକୁ ଆମେ ପୁଣିଥରେ ତାଜା କରିପାରୁଛୁ ବୋଲି ପୁରାତନ ଛାତ୍ର ଶ୍ରୀ ମିଟୁନ୍ ଦାସ କହିଛନ୍ତି ।

previous arrow
next arrow
previous arrownext arrow
Slider