ବିଶ୍ଵମ୍ବର ବିଦ୍ୟାପୀଠ, ପୁରୀ

ପୁରୀର ବିଶ୍ଵମ୍ବର ବିଦ୍ୟାପୀଠ ୧୯୧୯ ମସିହାରେ ଏକ ପ୍ରାଥମିକ ବିଦ୍ୟାଳୟ ଭାବରେ ପ୍ରତିଷ୍ଠିତ ହୋଇଥିଲା। ୧୯୪୫ ମସିହାରେ ଏହା ଏକ ଉଚ୍ଚ ବିଦ୍ୟାଳୟରେ ପରିଣତ ହେଲା ଏବଂ ଆଗାମୀ ଦିନରେ ଉତ୍କୃଷ୍ଟ ଶିକ୍ଷାର ଶୀର୍ଷରେ ପହଞ୍ଚିଲା। ଏହି ପ୍ରାଚୀନ ବିଦ୍ୟାଳୟରେ ଶିକ୍ଷା ଲାଭ କରି ଅନେକ ଛାତ୍ର ଭବିଷ୍ୟତରେ ଓଡିଶାର ଜଣାଶୁଣା ବ୍ୟକ୍ତିତ୍ୱ ହୋଇପାରିଥିଲେ। ସେଥିପାଇଁ ଏହାକୁ ରାଜ୍ୟର ଏକ ପ୍ରମୁଖ ଅନୁଷ୍ଠାନ ଭାବରେ ପରିଗଣିତ କରା ଯାଉଥିଲା।

ସମୟର ସହିତ ଏହାର ଶ୍ରେଷ୍ଠତା କ୍ରମଶଃ ଦୁର୍ବଳ ହେବାକୁ ଲାଗିଲା।ଓଡିଶା ସରକାରଙ୍କ ଅଧୀନରେ ହଜାର ହଜାର ସଂଖ୍ୟକ ସ୍କୁଲ। ସେଥିରୁ କେବଳ ଗୋଟିଏ ବିଦ୍ୟାଳୟ ଉପରେ ଧ୍ୟାନ ଦେବା ସମ୍ଭବପର ନଥିଲା। ଏଇଭଳି ପରିସ୍ଥିତିରେ ‘ମୋ ସ୍କୁଲ ଅଭିଯାନ’ ଆଣିଦେଇଥିଲା ଆଶାର କିରଣ।ପୁରାତନ ଛାତ୍ରମାନଙ୍କ ସହଯୋଗରେ ବିଦ୍ୟାଳୟଟିକୁ ନୂତନ ରୂପ ଦେବାର କାର୍ଯ୍ୟକ୍ରମ ବିଶ୍ଵମ୍ବର ବିଦ୍ୟାପୀଠକୁ ବହୁ ପରିମାଣରେ ସାହାଯ୍ୟ କରିଥିଲା ।

ପୁରୁଣା ବିଦ୍ୟାଳୟ, ସେଥିପାଇଁ ପୁରାତନ ଛାତ୍ର ସଂଖ୍ୟା କମ୍‌ ନୁହଁ। ସେମାନଙ୍କ ଭିତରୁ ଅନେକ ମଧ୍ୟ ପ୍ରତିଷ୍ଠିତ। ସେମାନଙ୍କ ସହିତ ସଂଯୋଗ ସୃଷ୍ଟି କରିବା ପାଇଁ ବର୍ତ୍ତମାନର ପ୍ରଧାନ ଶିକ୍ଷକ ପୂର୍ବତନ ପ୍ରଧାନ ଶିକ୍ଷକମାନଙ୍କ ସହିତ ଆଲୋଚନା କରିଲେ। ସେମାନଙ୍କର ଚେଷ୍ଟାରେ କିଛି ପ୍ରତିଷ୍ଠିତ ପୁରାତନ ଛାତ୍ରମାନଙ୍କ ସହିତ ଯୋଗାଯୋଗ ହେଲା। ସେମାନେ ବିଦ୍ୟାଳୟର ବିକାଶ ଦିଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ହେଲେ।

ଖୁବ୍ ଶୀଘ୍ର ବିଦ୍ୟାଳୟଟି ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ୧,୫୫,୦୦୦ ଟଙ୍କା ଦାନ ଭାବରେ ପାଇଥିଲା । ସରକାରଙ୍କ ଅନୁଦାନ ସହିତ ଏହା ୪,୬୫,୦୦୦ ଟଙ୍କା ହୋଇଥିଲା । ଖେଳ ପଡିଆର ନବୀକରଣ, ଅଫିସ୍ ରୁମ୍ତଥା ବିଜ୍ଞାନାଗାରର ନବୀକରଣ ପାଇଁ ଏହି ଅର୍ଥ ବ୍ୟବହାର କରାଯାଇଥିଲା। ଏଥିସହଅନେକ ପୁରାତନ ଛାତ୍ର ସ୍ବେଚ୍ଛାକୃତ ଭାବରେ ଛାତ୍ରଛାତ୍ରୀମାନଙ୍କର ମାନସିକ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଡି ହୋଇଯାଇଥିଲେ। ଲକ୍ଷ୍ୟ ଏକ। ଆଗାମୀ ପିଢିର ଆତ୍ମବିଶ୍ବାସ ବଢାଇବା ଏବଂ ସେମାନଙ୍କୁ ବିଶ୍ଵର ସଫଳ ନାଗରିକ କରି ତୋଳିବା।

ବିଦ୍ୟାଳୟ ଓ ପୁରାତନ ଛାତ୍ରମାନଙ୍କ ଭିତରେ ସହଯୋଗ ଏବେ ପୂର୍ଣ୍ଣ ମାତ୍ରାରେ ରହିଛି। ଏଥିପାଇଁ ପ୍ରଧାନଶିକ୍ଷକ ଶ୍ରୀ ସୁଶୀଲ କୁମାର ବ୍ରହ୍ମା ବହୁତ ଉତ୍ସାହିତ। ଶତାବ୍ଦୀ ପାର ହୋଇଯାଇଥିବା ଓଡିଶାର ଏହି ଐତିହ୍ୟପୂର୍ଣ୍ଣ ବିଦ୍ୟାଳୟଟିରେ‘ମୋ ସ୍କୁଲ ଅଭିଯାନ’ ଏକ ବଡ଼ ଧରଣର ପରିବର୍ତ୍ତନ ସମ୍ବାଦ ଆଣିପାରିଛି।

top