ବାଲିକୁଦା ସରକାରୀ ଉଚ୍ଚ ବିଦ୍ୟାଳୟ : ନୂଆ ସୁଯୋଗ ଆଣିଛି ‘ମୋ ସ୍କୁଲ୍ ଅଭିଯାନ’

ଜଗତସିଂହପୁର ଜିଲ୍ଲାର ଏକ ପୁରାତନ ବିଦ୍ୟାଳୟ ବାଲିକୁଦା ସରକାରୀ ଉଚ୍ଚ ବିଦ୍ୟାଳୟ । ୧୮୮୫ ମସିହାରେ ପ୍ରାଥମିକ ବିଦ୍ୟାଳୟ ଭାବରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟ ୧୯୪୨ରେ ଉଚ୍ଚ ବିଦ୍ୟାଳୟର ମାନ୍ୟତା ପାଇଥିଲା । ଖ୍ୟାତନାମା ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା, ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ପ୍ରତିଭା ରାୟ, ଜଳସମ୍ପଦ ଏବଂ ସୂଚନା ଏବଂ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଗଢିତୋଳିଛି ଏହି ବିଦ୍ୟାଳୟ । କେବଳ ଏମାନେ ନୁହଁନ୍ତ, ବହୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୃଷ୍ଟି କରିବାରେ ମଧ୍ୟ ଏହି ସରକାରୀ ବିଦ୍ୟାଳୟର ପ୍ରମୁଖ ଅବଦାନ ରହିଛି ।

୨୦୧୮ ମସିହାରେ ବାଲିକୁଦା ସରକାରୀ ଉଚ୍ଚ ବିଦ୍ୟାଳୟ ‘ମୋ ସ୍କୁଲ୍ ଅଭିଯାନ’ରେ ଅନ୍ତର୍ଭୁକ୍ତ ହୋଇ ବିଦ୍ୟାଳୟର ବିକାଶ ଅଭିଯାନ ଆରମ୍ଭ କରିଥିଲା । ପିଲାମାନଙ୍କ ପାଇଁ ବିଦ୍ୟାଳୟ ମଧ୍ୟରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ କରାଇ ଏକ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଅଭିଯାନ ଆରମ୍ଭର ପ୍ରାଥମିକ ଲକ୍ଷ୍ୟ ଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଗଣେଶ ଚନ୍ଦ୍ର ସେଠୀଙ୍କର ଦୃଢ ଇଚ୍ଛାଶକ୍ତି ସହିତ ‘ମୋ ସ୍କୁଲ୍ ଅଭିଯାନ’ର ପୁରାତନ ଛାତ୍ରସଂଘ ସଭାପତି ସିମାଦ୍ରୀ ସତ୍ୟଜିତ ଦାସ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗ ଲାଗି ଏହି ବିଦ୍ୟାଳୟରେ ମୋ ସ୍କୁଲ୍ ଅଭିଯାନ ଏକ ସଫଳ ଅଭିଯାନରେ ପରିଣତ ହୋଇଛି । ସିମାଦ୍ରୀ ସତ୍ୟଜିତଙ୍କ ୨ ହଜାର ଟଙ୍କାର ଅନୁଦାନରୁ ଆରମ୍ଭ ହୋଇଥିବା ‘ମୋ ସ୍କୁଲ୍ ଅଭିଯାନ’ ଆଜି ୪,୨୫,୪୧୫ ଟଙ୍କାରେ ପହଁଚିଛି । ପୁରାତନ ଛାତ୍ରଛାତ୍ରୀଙ୍କ ଏହି ଅନୁଦାନ ଏବଂ ୮,୫୦,୮୩୦ ଟଙ୍କାର ସରକାରୀ ସହାୟତା ରାଶିକୁ ମିଶାଇ ମୋଟ ୧୨,୭୬,୨୪୫ ଟଙ୍କାରେ ବିଦ୍ୟାଳୟରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ବିଦ୍ୟାଳୟର ନୂତନ ଫାଟକ ନିର୍ମିତ ହୋଇଛି। ଶକ୍ତି ସଞ୍ଚୟ ପାଇଁ ବିଦ୍ୟାଳୟ ପରିସରରେ ସୋଲାର ପ୍ୟାନେଲ୍ ଲଗାଯାଇଛି । ‘ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ଏଠାରେ କ୍ରୀଡ଼ା ଭିତ୍ତଭୂମିର ବିକାଶକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ କ୍ରୀଡ଼ା ଓ ଜିମ୍ ଉପକରଣ କିଣାଯାଇଛି । ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା, ମୁଖ୍ୟ ଫାଟକର ସୌନ୍ଦର୍ଯ୍ୟକରଣ, ପାଚିରୀ, ଗିଜର, ଏନ୍‌ସିସି ପୋଷ୍ଟ, ପ୍ରାର୍ଥନା ପଡିଆର ନବୀକରଣ କାର୍ଯ୍ୟ କରାଯାଇଛି ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସେଠୀଙ୍କ ମତରେ ବିଦ୍ୟାଳୟର ଉନ୍ନତିକରଣ ଦିଗରେ ଏହି ଅଭିଯାନ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ‘ମୋ ସ୍କୁଲ୍’ କାର୍ଯ୍ୟକ୍ରମ ମାଧ୍ୟମରେ ସ୍କୁଲ୍‌ର ଅନେକ ଉନ୍ନତି ହୋଇପାରିଛି । ଏଥିରେ ପୁରାତନ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଅବଦାନ ବାସ୍ତବିକ ପ୍ରଶଂସନୀୟ । ପ୍ରଧାନଶିକ୍ଷକ ଶ୍ରୀ ସେଠୀ କହନ୍ତି, ‘ଏହି ସ୍କୁଲ୍‌ରେ ଯୋଗଦେବା ପରଠାରୁ ଏହାକୁ ଜିଲ୍ଲାର ଏକ ନମ୍ବର ସ୍କୁଲ୍ କରିବାକୁ ଲକ୍ଷ୍ୟ ରଖିଥିଲି । ମୋ ସ୍କୁଲ୍ ଅଭିଯାନ ଦ୍ୱାରା ମୋର ସଂକଳ୍ପ ପୂର୍ଣ୍ଣ ହେବାକୁ ଯାଉଛି ।’

‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ନିଜ ବିଦ୍ୟାଳୟ ସହ ଯୋଡ଼ି ହୋଇଥିବା ଜଣେ ପୁରାତନ ଛାତ୍ର କହିଛନ୍ତି, ‘ବିଦ୍ୟାଳୟର ଉନ୍ନତି କରାଇବା ଜଣେ ପୁରାତନ ଛାତ୍ରର କର୍ତ୍ତବ୍ୟ ହେବା ଆବଶ୍ୟକ । ବର୍ତ୍ତମାନ ଏହି ସ୍କୁଲ୍‌ରେ ୫ଟି ଶ୍ରେଣୀଗୃହ ଏବଂ ଗୋଟିଏ କନ୍‌ଫରେନ୍ସ ହଲ୍‌ର ଆବଶ୍ୟକତା ରହିଛି । ମୁଁ ଆଶା କରୁଛି ଯେ ମୋ ସ୍କୁଲ୍ ଅଭିଯାନ ଦ୍ୱାରା ସେହି ଆବଶ୍ୟକତା ମଧ୍ୟ ପୂରଣ ହୋଇପାରିବ ।’

previous arrow
next arrow
Slider