ଖ୍ରୀଷ୍ଟଜ୍ୟୋତି ଉଚ୍ଚ ବିଦ୍ୟାଳୟ, ବରଗଡ : ବରଦାନ ସାଜିଛି ‘ମୋ ସ୍କୁଲ୍ ଅଭିଯାନ’

ବରଗଡ ଜିଲ୍ଲା ସଦର ମହକୁମାଠାରୁ ୪୦ କିଲୋମିଟର ଦୂର ଛତିଶଗଡ ସୀମାରେ ମଧୁପୁର ବ୍ଲକ୍ । ଏହି ବ୍ଲକ୍ ଅନ୍ତର୍ଗତ ଡୁମ୍ବରପାଲୀ ପଞ୍ଚାୟତରେ ରହିଛି ଖ୍ରୀଷ୍ଟଜ୍ୟୋତି ଉଚ୍ଚ ବିଦ୍ୟାଳୟ । ପଞ୍ଚାୟତର ଏହା ଏକମାତ୍ର ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ । ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ବିକାଶ ଲାଗି ମଧୁପୁର କାଥୋଲିକ୍ ସ୍କୁଲ୍ କମିଟି ଦ୍ୱାରା ୧୯୮୪ରେ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ପରବର୍ତ୍ତୀ ସମୟରେ ମଧୁପୁର କାଥୋଲିକ୍ ସ୍କୁଲ୍ କମିଟିର ଫାଦର ରିଚାର୍ଡଙ୍କ ପ୍ରଚେଷ୍ଟାରେ ଏହି ବିଦ୍ୟାଳୟ ମଧ୍ୟ-ଇଂରାଜୀରୁ ଉଚ୍ଚ-ବିଦ୍ୟାଳୟରେ ପରିଣତ ହେଲା।
ଗରିବ ଓ ହରିଜନ ଶ୍ରେଣୀର ଛାତ୍ରଛାତ୍ରୀ ଯେପରି ବିଦ୍ୟାଳୟରେ ପରିସରରେ ରହି ପାଠ ପଢିପାରିବେ ତାହାକୁ ଦୃଷ୍ଟିରେ ରଖି ଛାତ୍ର ଓ ଛାତ୍ରୀଙ୍କ ପାଇଁ ଦୁଇଟି ପୃଥକ୍ ହଷ୍ଟେଲ୍ ନିର୍ମାଣ ହେଲା । ୧୯୯୬ ମସିହାରେ ଖ୍ରୀଷ୍ଟଜ୍ୟୋତି ଉଚ୍ଚ ବିଦ୍ୟାଳୟ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ମାନ୍ୟତା ପାଇଲା ।
ବିଦ୍ୟାଳୟରେ ପଢୁଥିବା ଅଧିକାଂଶ ଛାତ୍ରଛାତ୍ରୀ ଗରିବ, ହରିଜନ ଓ ଆଦିବାସୀ ପରିବାରର । ପିଲାମାନଙ୍କ ଆର୍ଥିକ ଅବସ୍ଥା ସେତେଟା ସ୍ୱଚ୍ଛଳ ନ ଥିଲେ ମଧ୍ୟ ସେମାନଙ୍କର ଦୃଢ ଇଚ୍ଛାଶକ୍ତି ଓ ଶିକ୍ଷକମାନଙ୍କ କଠିନ ପରିଶ୍ରମ ଆଜି ଏହି ବିଦ୍ୟାଳୟକୁ ଏକ ସଫଳ ବିଦ୍ୟାଳୟଭାବରେ ଗଢିତୋଳିଛି । କେବଳ ପାଠପଢା ନୁହେଁ, ଖେଳକୁଦରେ ମଧ୍ୟ ଏହି ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ଅନେକ ସୁନାମ ଅର୍ଜନ କରିଛନ୍ତି । ବିଦ୍ୟାଳୟର ଅନେକ ପୁରାତନ ଛାତ୍ରଛାତ୍ରୀ ଏବେ ରାଜ୍ୟ ଓ ରାଜ୍ୟ ବାହାରେ ବହୁ ଉଚ୍ଚ ପଦବୀରେ କାର୍ଯ୍ୟରତ । ଅ।ବାସିକ ବିଦ୍ୟାଳୟ ହୋଇଥିବାରୁ ସ୍କୁଲ୍‌ର ଛାତ୍ରଛାତ୍ରୀମାନଙ୍କୁ ଏଭଳି ସଫଳତା ମିଳୁଥିବା କୁହାଯାଏ । ତେବେ ପୂର୍ଣ୍ଣ ଅନୁଦାନ ମିଳୁଥିଲେ ମଧ୍ୟ ସ୍କୁଲ୍ ହଷ୍ଟେଲ୍ ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଅନୁଦାନ ମିଳେନାହିଁ । ତେଣୁ ହଷ୍ଟେଲ୍‌ର ମରାମତି ଓ ତାହାର ପରିଚାଳନା କରିବା ସ୍କୁଲ୍ କର୍ତ୍ତୃପକ୍ଷଙ୍କ ପାଇଁ ସହଜ ନ ଥିଲା।

previous arrow
next arrow
Slider

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୧୭ ମସିହାରେ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ‘ମୋ ସ୍କୁଲ୍ ଅଭିଯାନ’ ଆରମ୍ଭ କରିବା ପରେ ଏହା ଖ୍ରୀଷ୍ଟଜ୍ୟୋତି ହାଇସ୍କୁଲ୍ ପାଇଁ ବରଦାନ ସଦୃଶ ଥିଲା । ୨୦୧୮ ମସିହାରେ ଏହି ସ୍କୁଲ୍ ‘ମୋ ସ୍କୁଲ୍ ଅଭିଯାନ’ରେ ଅନ୍ତର୍ଭୁକ୍ତ ହୋଇ ଅସଜଡ଼ା ଭିତ୍ତିଭୂମିକୁ ସଜାଡ଼ିବାର ପ୍ରୟାସ କରିଥିଲା, ଯାହାକି ଆଜି ସଫଳ ରୂପ ନେଇଛି । ବରଗଡ଼ର ତତ୍‌କାଳୀନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପି.କେ. ଯୋଶୀ, ଡି.ଏସ୍‌.ଏସ୍‌. ଶ୍ରୀ ମନୋଜ ସାହୁ, ପୂର୍ବତନ ଭାରପ୍ରାପ୍ତ ବ୍ଳକ୍ ଶିକ୍ଷା ଅଧିକାରୀ ଶ୍ରୀ ହେମସାଗର ମହାନନ୍ଦ ଏବଂ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀ ଅଗସ୍ତି ଭୋଇଙ୍କ ପ୍ରଚେଷ୍ଟାରେ ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି ।
ପାଠ ପଢାଇଥିବା ସ୍କୁଲ୍‌କୁ ‘ଯଶୋଦା ମା’ର ଆଖ୍ୟା ଦେଇଥିଲେ ତତ୍‌କାଳୀନ ପ୍ରଧାନଶିକ୍ଷକ ଶ୍ରୀ ଅଗସ୍ତି ଭୋଇ ଏବଂ ଏହି ସ୍ଲୋଗାନ୍ ସହ ପୁରାତନ ଛାତ୍ରଛାତ୍ରୀଙ୍କ ହୃଦୟ ଜିତିବାରେ ମଧ୍ୟ ସଫଳ ହୋଇଥିଲେ । ପଦକ କଥାରେ ପୁରାତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଉନ୍ନତି ପାଇଁ ହାତ ବଢାଇଥିଲେ । ବିଦ୍ୟ।ଳୟରେ ଲାଗିରହୁଥିବା ପାନୀୟ ଜଳ ସମସ୍ୟାର ସମାଧାନ ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ କରାଯାଇଥିଲା । ସେହିଭଳି ଛାତ୍ରାବାସରେ ଛାତ୍ରଛାତ୍ରୀମାନେ ଆଗରୁ ଅନେକ ଅସୁବିଧା ଭୋଗୁଥିଲେ । ହଷ୍ଟେଲ୍ ଓ ପାଠ ପଢାଯାଉଥିବା କୋଠାଗୁଡ଼ିକ ଅତି ପୁରୁଣା ହୋଇଯାଇଥିବାରୁ ବିପଦସଙ୍କୁଳ ଅବସ୍ଥାରେ ପିଲାମାନେ ରହୁଥିଲେ । ତେବେ ‘ମୋ ସ୍କୁଲ୍‌’ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଥିବା ୮,୩୭,୩୦୦ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତା ୧୬,୭୪.୬୦୦ ଟଙ୍କାକୁ ମିଶାଇ ମୋଟ ୨୫,୧୧,୯୦୦ ଟଙ୍କାରେ ହଷ୍ଟେଲ୍ ମରାମତି, ଶ୍ରେଣୀ କକ୍ଷଗୁଡିକର ନବୀକରଣ, ପାନୀୟ ଜଳ ବ୍ୟବସ୍ଥା, ପରିଶ୍ରାଗାର ଓ ଶୌଚାଳୟ ନିର୍ମାଣ, ପାଚିରି ମରାମତି ଏବଂ ସ୍କୁଲ୍‌ରେ ନୂତନ ଫାଟକ ନର୍ମାଣ କରାଯାଇଥିଲା । ଏହାସହ ‘ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କ ପାଇଁ କମ୍ପ୍ୟୁଟର ଏବଂ ଶ୍ରେଣୀଗୃହରେ ଶିକ୍ଷାଦାନ ପାଇଁ ପ୍ରୋଜେକ୍ଟର କିଣାଯାଇଛି । ଛାତ୍ରୀ ହଷ୍ଟେଲ୍‌ରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଇଥିବା ବେଳେ ଯୋଜନାର ଆଗାମୀ ପର୍ଯ୍ୟାୟରେ ଛାତ୍ର ହଷ୍ଟେଲ୍ ମରାମତି କରିବାକୁ ଯୋଜନା ରହିଛି । ‘ମୋ ସ୍କୁଲ୍ ଅଭିଯାନ’ ଦ୍ୱାରା ବିଦ୍ୟାଳୟର ଅନେକ ଉନ୍ନତି ହୋଇପାରିଛି । ପିଲାମାନେ ଏବେ ଏକ ସୁସ୍ଥ ପରିବେଶରେ ପଢିବାର ସୁଯୋଗ ପାଇପାରୁଛନ୍ତି ବୋଲି କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅର୍ଚ୍ଚନା ପାତ୍ର । ଏଥିପାଇଁ ସେ ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।