ଅନ୍‌ସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ବାଟ ଦେଖାଇଛି ଡିଜିଟାଲ୍ ଶିକ୍ଷା

ପାରମ୍ପରିକ ଚକ୍ ଓ ବ୍ଲାକ୍‌ବୋର୍ଡ ଶିକ୍ଷାଦାନ ପ୍ରକ୍ରିୟାରୁ ଟିକେ ଆଗକୁ ଯାଇ କିଛି ନୂଆ କରିବାର ପ୍ରୟାସ କରିଛି ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଅନ୍‌ସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ । ସ୍ମାର୍ଟ କ୍ଲାସ୍‌ରୁମ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହ ପ୍ରତି ଆକୃଷ୍ଟ କରିବାକୁ ପ୍ରୟାସ କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । ଆଉ ଏଥିରେ ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଛନ୍ତି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ । ୨୦୧୭ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିବା ‘ମୋ ସ୍କୁଲ୍ ଅଭିଯାନ’ ପାଇଁ ଆଜି ଏହା ସମ୍ଭବ ହୋଇପାରିଛି । ବର୍ତ୍ତମାନର ଡିଜିଟାଲ ଯୁଗ ସହ ତାଳଦେଇ ପିଲାମାନେ କିଭଳି ପ୍ରତିଦ୍ୱନ୍ଦୀମୂଳକ ହୋଇପାରିବେ ସେଥିଲାଗି ଓଡ଼ିଶାର ପ୍ରଥମ ସରକାରୀ ବିଦ୍ୟାଳୟ ଭାବେ ଏହି ବିଦ୍ୟାଳୟ ଇଣ୍ଟରାକ୍ଟିଭ୍ ବୋର୍ଡରେ ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ କରିଛି । ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ଉଭୟ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଲାଭଦାୟକ ହୋଇପାରିଛି ।

୧୮୫୫ ମସିହାରେ ମାଡ୍ରାସ ପ୍ରେସିଡେନ୍ସି ସମୟରେ ଆର୍ଥର ପୁଲି ଅନ୍‌ସ୍ଲୋଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟର ଇତିହାସ ୧୬୫ବର୍ଷ ପୁରୁଣା । କଟକର ରେଭେନ୍ସା କଲିଜିଏଟ୍ ସ୍କୁଲ୍ ପରେ ଅନ୍‌ସ୍ଲୋ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟର ଦ୍ୱିତୀୟ ପୁରାତନ ତଥା ଐତିହ୍ୟ ବିଦ୍ୟାଳୟ ଭାବର୍ ଗଣନା କରାଯାଏ । ପ୍ରାରମ୍ଭରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରୁଥିବା ଏହି ବିଦ୍ୟାଳୟ ୨୦୨୦ରେ ସ୍ଥାନୀୟ କଲୋନୀ ପ୍ରାଥମିକ ବିଦ୍ୟାଳୟ ସହ ସମ୍ମିଶ୍ରଣ ପରେ ଏବେ ଏଠାରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ହେଉଛି । ୪୯୨ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟରେ ମୋଟ ୧୯ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପଢାଉଛନ୍ତି ।

ଏହି ସରକାରୀ ସ୍କୁଲ ପ୍ରତି ଛାତ୍ରଛାତ୍ରୀମାନଙ୍କୁ ଆଗ୍ରହୀ କରିବାକୁ ସ୍କୁଲ୍ କର୍ତ୍ତୃପକ୍ଷ ଏବଂ ସ୍କୁଲ ପରିଚାଳନା କମିଟି ‘ମୋ ସ୍କୁଲ୍ ଅଭିଯାନ ମାଧ୍ୟମରେ ବିଭିନ୍ନ ସୁୁଚିନ୍ତିତ ଯୋଜନା ଆରମ୍ଭ କରିଥିଲେ। ଏହାଦ୍ବାରା ସ୍କୁଲ୍‌ର ଭିତ୍ତିଭୂମି ବିକାଶ ହୋଇପାରିଥିଲା ଏବଂ ସ୍ମାର୍ଟ କ୍ଲାସ୍‌ରୁମ୍ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା।

ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଦେବସ୍ମିତା ମହାନ୍ତିଙ୍କ ନେତୃତ୍ୱରେ ୨୦୧୮ ଜୁଲାଇ ୨୯ରେ ‘ମୋ ସ୍କୁଲ୍ ଅଭିଯାନ’ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ତତ୍‌କାଳୀନ ପ୍ରଧାନଶିକ୍ଷକ ଶ୍ରୀ ରାଧାକୃଷ୍ଣ ନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ଶ୍ରୀ ସମ୍ବିତ ପଟ୍ଟନାୟକ ସ୍ମାର୍ଟ କ୍ଲାସ୍‌ରୁମ୍ ସହ ଇଣ୍ଟରାକ୍ଟିଭ୍ ବୋର୍ଡ ପ୍ରତିଷ୍ଠା ପାଇଁ ପରାମର୍ଶ ଦେଇଥିଲେ । ଏଥିପାଇଁ ସେ ‘ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରିଥିଲେ । ଏହାସହ ଅନ୍ୟ ୧୨ଜଣ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟର ଉନ୍ନତି ପାଇଁ ୩ ଲକ୍ଷ ୨୯ହଜାର ଟଙ୍କା ପ୍ରଦାନ କରିଥିଲେ । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀଙ୍କ ସହ ପୁରାତନ ଛାତ୍ର ଶ୍ରୀ ସମ୍ବିତ୍ କୁମାର ପଟ୍ଟନାୟକ ଏବଂ ଶ୍ରୀ ପ୍ରଭାତ କୁମାର ପାଣିଗ୍ରାହୀ ସର୍ବାଧିକ ସହାୟତା ପ୍ରଦାନ କରିଥିଲେ । ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ମିଳିଥିବା ଆର୍ଥିକ ସହାୟତା ସହ ରାଜ୍ୟ ସରକାରଙ୍କର ଦୁଇଗୁଣା ଅନୁଦାନକୁ ମିଶାଇ ସ୍କୁଲ୍‌ରେ ସ୍ମାର୍ଟ ଶ୍ରେଣୀଗୃହ, ଦୁଇଟି ଶୌଚାଳୟ, ବିଦ୍ୟାଳୟ ପାଇଁ ବିଭିନ୍ନ ଆସବାବପତ୍ର କ୍ରୟ କରାଯିବା ସହ ବିଦ୍ୟାଳୟର କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରାଯାଇଛି । ସ୍ମାର୍ଟ ଶ୍ରେଣୀଗୃହ ନିର୍ମାଣ ହେବା ପରେ ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିଛି । ସେହିଭଳି ପିଲାମାନେ ବୋର୍ଡ ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ କହିଛନ୍ତି ।

ଆର୍ଥିକ ସହାୟତା ବ୍ୟତୀତ ବିଦ୍ୟାଳୟର ପୁରାତନ ଛାତ୍ର ଶ୍ରୀ ସୁଦର୍ଶନ ଶେଖର ବେହେରା ସ୍ୱେଚ୍ଛାକୃତ ଭାବେ ବିଦ୍ୟାଳୟ ୱେବ୍‌ସାଇଟ୍‌ର ଡିଜାଇନ୍ କରିଛନ୍ତି । ପୁରାତନ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ତିଆରି ହୋଇଥିବା ବେଳେ ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ରହିଛନ୍ତି । ବିଦ୍ୟାଳୟର ବିକାଶ ସମ୍ପର୍କିତ ଆଲୋଚନାରେ ସେମାନେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି । ‘ମୋ ସ୍କୁଲ୍ ଅଭିଯାନ’ ପାଇଁ ବିଦ୍ୟାଳୟ ଭିତ୍ତିଭୂମିରେ ଅନେକ ଉନ୍ନତି ଘଟିଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କାତ୍ୟାୟନୀ ନନ୍ଦୀ । ଶିକ୍ଷାନୁଷ୍ଠାନଗୁଡିକର ଭିତ୍ତିଭୂମିକୁ ସୁଦୃଢ କରିବାରେ ରାଜ୍ୟ ସରକାର ଆରମ୍ଭ କରିଥିବା ଏହି ଅଭିନବ ଅଭିଯାନ ପାଇଁ ନିଜେ ପଢିଥିବା ବିଦ୍ୟାଳୟ ପାଇଁ ଆମେମାନେ କିଛି କରିବାର ସୁଯୋଗ ପାଇପାରୁଛୁ ବୋଲି ବିଦ୍ୟାଳୟର ପୁରାତନ ଛାତ୍ର ଶ୍ରୀ ସୁରଜିତ୍ ସାମନ୍ତରାୟ କହିଛନ୍ତି ।